Categories: ଜାତୀୟ

ଭାରତରେ ୧୫୦% ବଢ଼ିଛି ମଧୁମେହ

ନୂଆଦିଲ୍ଲୀ,୮।୬: ବିଶ୍ୱର ଦ୍ୱିତୀୟ ସର୍ବାଧିକ ମଧୁମେହ ଆକ୍ରାନ୍ତ ବୟସ୍କ ବ୍ୟକ୍ତି ଭାରତରେ ରହିଛନ୍ତି। ପ୍ରତି ୬ ମଧୁମେହ ରୋଗୀଙ୍କ ମଧ୍ୟରେ ଜଣେ ଭାରତୀୟ ବୋଲି ଜଣାପଡ଼ିଛି। ଗତ ୩ ଦଶନ୍ଧି ମଧ୍ୟରେ ଦେଶରେ ଡାଇବେଟିସ୍‌ ରୋଗୀ ସଂଖ୍ୟା ୧୫୦ ପ୍ରତିଶତ ବୃଦ୍ଧି ପାଇଛି। ଦେଶର କେତେକ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଟାଇପ୍‌-୧ ଡାଇବେଟିସ୍‌ ଥିବା ଲୋକଙ୍କ ଉତ୍ତମ ଚିକିତ୍ସା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ନୂଆ ଗାଇଡ୍‌ଲାଇନ ଜାରି କରିଛି। କୋଭିଡ୍‌ ଯୋଗୁ ମଧୁମେହ ରୋଗୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ସେମାନେ କୋଭିଡ୍‌ରେ ଅଧିକ ଗୁରୁତର ହେବା ସହ ମୃତ୍ୟୁହାର ମଧ୍ୟ ଅଧିକ ରହିଥିଲା। ଏବେ କମ୍‌ ବୟସ୍କଙ୍କଠାରେ ଟାଇପ୍‌-୨ ଡାଇବେଟିସ୍‌ ଚିହ୍ନଟ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଆଇସିଏମ୍‌ଆର୍‌ କହିଛି। ଉଭୟ ସହର ଓ ଗ୍ରାମାଞ୍ଚଳରେ ୨୫ରୁ ୩୪ ବର୍ଷ ବୟସ ବର୍ଗର ଲୋକଙ୍କଠାରେ ମଧୁମେହ ଦେଖାଦେଉଛି। ବିଶ୍ୱରେ ୨୦ ବର୍ଷରୁ କମ୍‌ ୧୧ ଲକ୍ଷ ଟାଇପ୍‌-୧ ଡାଇବେଟିସ ଆକ୍ରାନ୍ତ ଏବଂ ପ୍ରତିବର୍ଷ ଏହି ସଂଖ୍ୟା ୧.୩ ଲକ୍ଷ ବଢ଼ୁଛି।
ଆଇସିଏମ୍‌ଆର୍‌ ଗାଇଡଲାଇନ ଅନୁଯାୟୀ ଟାଇପ୍‌-୧ ଡାଇବେଟିସକୁ ନିୟନ୍ତ୍ରଣରେ ରଖିବାରେ ଜୀବନଶୈଳୀ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିସହ ଗ୍ଲିସେମିଆ ଉପରେ ପଥ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପର ପ୍ରଭାବକୁ ମଧ୍ୟ ବୁଝିବାକୁ ହେବ। ରକ୍ତଚାପ, ଓଜନ, ଲିପିଡ୍‌ ସ୍ତରକୁ ଉପଯୁକ୍ତ ସ୍ତରରେ ରଖିବା ସହ ପିଲାଙ୍କ ସ୍ବାସ୍ଥ୍ୟ ବୃଦ୍ଧି ଓ ବିକାଶ ପାଇଁ ପର୍ଯ୍ୟାପ୍ତ ପୁଷ୍ଟିସାର ବ୍ୟବସ୍ଥା କରିବା ଆବଶ୍ୟକ। ଦକ୍ଷିଣ ଓ ଉତ୍ତର ଭାରତୀୟଙ୍କ ଖାଦ୍ୟରେ ଶ୍ୱେତସାର ପରିମାଣ ଅଧିକ ରହିଥାଏ। ନିୟମିତ ଶାରୀରିକ ପରିଶ୍ରମ ବଢ଼ାଇଲେ ମେଦବହୁଳତା ଏବଂ ହୃଦ୍‌ରୋଗ ଆଶଙ୍କା କମିବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ସାଧାରଣତଃ ଡାଇବେଟିସ ଚିହ୍ନଟ ହେବା ପରେ ପିଲା ଓ ବୟସ୍କମାନେ ଇନ୍‌ସୁଲିନ୍‌ ଆବଶ୍ୟକ କରିଥାନ୍ତି ଓ ଏହାକୁ ସାରା ଜୀବନ ବ୍ୟବହାର କରିଥାନ୍ତି। ସେଗୁଡ଼ିକର ବ୍ୟବହାର ବେଳେ ସାବଧାନତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ। ଡାଇବେଟିସ୍‌ ଔଷଧ ଓ ଇନ୍‌ସୁଲିନ୍‌ ନେବା ପୂର୍ବରୁ ଡାକ୍ତର, ପରାମର୍ଶଦାତା, ପୋଷଣବିଦ୍‌ଙ୍କ ପରାମର୍ଶ ନେବା ଆବଶ୍ୟକ। ଇନ୍‌ସୁଲିନ୍‌ର ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ଏଥିଯୋଗୁ ହାଇପୋଗ୍ଲିସେମିଆ, ଓଜନ ବଢ଼ିବା ଓ ସଂକ୍ରମଣ ହୋଇଥାଏ। ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇସିଏମ୍‌ଆର୍‌ କହିଛି।

Share