ଭାରତରେ ୨୭ କୋଟିରୁ ଅଧିକ ଶିଶୁଙ୍କ ରକ୍ତରେ ଜହର

ଜେନେଭା, ୨।୮: ଭାରତରେ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଦେଶର ୨୭ କୋଟି ୫୦ ଲକ୍ଷରୁ ଅଧିକ ଶିଶୁଙ୍କ ରକ୍ତରେ ଜହର ରହିଛି। ରକ୍ତରେ ସୀସାର ମାତ୍ରା ବୃଦ୍ଧି ପାଇବା ଯୋଗୁ ଏଭଳିସ୍ଥିତି ଉପୁଜି ଥିବା ରିପୋର୍ଟରେ ଦର୍ଶାଯାଇଛି। ପୃଥିବୀର ୮୦ କୋଟିରୁ ଅଧିକ ଶିଶୁଙ୍କଠାରେ ଏହି ସମସ୍ୟା ଦେଖାଯାଉଥିବା ୟୁନିସେଫ୍‌ର ଏବଂ ପ୍ୟୁର ଆର୍ଥ ସଂସ୍ଥା ଦ୍ୱାରା ହୋଇଥିବା ଏହି ମିଳିତ ସର୍ଭେ ପୃଥିବୀର ବିଭିନ୍ନ ଦେଶରେ କରାଯାଇଛି। ଏଥିରେ ପ୍ରକାଶ ପାଇଛି ଯେ, ଦକ୍ଷିଣ ଏସିଆରେ ୪୦ କୋଟିରୁ ଅଧିକ ଶିଶୁଙ୍କଠାରେ ଲେଡ୍‌ ପଏଜନିଂ ସମସ୍ୟା ଦେଖାଦେଇଥାଏ। ଗରିବ ଏବଂ ଅଣବିକଶିତ ଦେଶଗୁଡ଼ିକରେ ଏଭଳି ସମସ୍ୟା ଅଧିକ ଦୃଷ୍ଟିଗୋଚର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟକୁ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ଳେଷଣ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି, ସୀସାର ପ୍ରଭାବ ଶିଶୁଙ୍କ ମସ୍ତିଷ୍କ, ହୃଦୟ, ଫୁସ୍‌ଫୁସ୍‌, କିଡ୍‌ନୀ ଆଦି ଉପରେ ପଡ଼ିଥାଏ। ଲେଡ୍‌ ବ୍ୟାଟେରୀର ଅସୁରକ୍ଷିତ ରିସାଇକ୍ଲିଂ ଯୋଗୁ ମାଟିରେ ଅଧିକ ପରିମାଣର ସୀସା ରହୁଛି। ଏହା ପରବର୍ତ୍ତୀ ସମୟରେ ଫୁଡ୍‌ ଚେନ୍‌ ଦ୍ୱାରା ଶିଶୁଙ୍କ ଶରୀରରେ ପ୍ରବେଶ କରୁଛି। ଭାରତର ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ବିହାରରେ ଏଭଳି ରିସାଇକ୍ଲିଂ ଅଧିକ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share