ନୂଆଦିଲ୍ଲୀ, ୧୬।୭: ଆସନ୍ତା ୨୦୨୧ ମାର୍ଚ୍ଚ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୧୮ ଲକ୍ଷ ଟପିବ ବୋଲି ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍ସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ଏହି ସମୟ ବେଳକୁ ହୁଏତ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୪୦ ହଜାରରୁ ଅଧିକ ରହିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏକ ଗାଣିତିକ ମଡେଲ ଆଧାରରେ ଆଇଆଇଏସ୍ସି ପକ୍ଷରୁ ୨୦୨୦ ମାର୍ଚ୍ଚ ୨୩ରୁ ଜୁନ୍ ୧୮ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅନୁଧ୍ୟାନ କରାଯାଇ ଏଭଳି ପୂର୍ବାନୁମାନ କରାଯାଇଛି। ଭାରତ କରୋନା ସଂକ୍ରମଣରେ ଶୀର୍ଷରେ ୨୦୨୦ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ଅବା ଅକ୍ଟୋବରରେ ପହଞ୍ଚିବାର ଆଶଙ୍କା ଥିବା ରିପୋର୍ଟରେ ପ୍ରକାଶ ପାଇଛି।