Categories: ଜାତୀୟ

ଭାରତରେ ଫେସବୁକ୍‌ରେ ଅଧିକ ଅଶ୍ଳୀଳତା ଯୋଗୁ ମହିଳା ୟୁଜରଙ୍କ ସଂଖ୍ୟା କମୁଛି, ମେଟା ରିପୋର୍ଟ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୭ : ଫେସବୁକ (ମେଟା) ପାଇଁ ଏକ ବଡ ବଜାର ଭାବରେ ପରିଗଣିତ ଭାରତରେ ବର୍ତ୍ତମାନ କମ୍ପାନୀ ୟୁଜରଙ୍କ ସଂଖ୍ୟା ବୃଦ୍ଧି କରିବାକୁ କଠିନ ପରିଶ୍ରମ କରୁଛି। ଏହାର ସବୁଠାରୁ ବଡ କାରଣ ହେଉଛି ସୋସିଆଲ ମିଡିଆ ସାଇଟରେ ଅଶ୍ଳୀଳତା ବଢ଼ିବା। ଯେଉଁ କାରଣରୁ ଭାରତୀୟ ମହିଳାମାନେ ନିଜକୁ ଅସୁରକ୍ଷିତ ମଣି ଦୂରେଇବାରେ ଲାଗିଛନ୍ତି। ଫଳରେ ମହିଳା ୟୁଜରଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି ତଥ୍ୟ ଭିତ୍ତିକ ରିପୋର୍ଟ ମେଟାର ଦୁଇବର୍ଷ ସର୍ଭେ ପରେ ପ୍ରକାଶିତ ହୋଇଛି। ଏହି ସର୍ଭେ ୨୦୨୧ ଶେଷରେ ଶେଷ ହୋଇଥିଲା। ଏହାର ରିପୋର୍ଟ କମ୍ପାନୀ ଦ୍ୱାରା ଏକ ଆଭ୍ୟନ୍ତରୀଣ କର୍ମଚାରୀ ଫୋରମରେ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ଅନେକ ମହିଳା ୟୁଜର ଫେସବୁକ ଛାଡିଛନ୍ତି। ଭାରତରେ ଏହି ସୋସିଆଲ ନେଟୱାର୍କରେ ଅଧିକ ପୁରୁଷ ୟୁଜର ରହିଛନ୍ତି। ମହିଳାର ୟୁଜରଙ୍କୁ ସୁରକ୍ଷା ଏବଂ ଗୋପନୀୟତା ବିଷୟରେ ଚିନ୍ତା କରିବାକୁ ପଡୁଛି। ଏହି ଆଭ୍ୟନ୍ତରୀଣ ରିପୋର୍ଟରେ ଦର୍ଶାଯାଇଛି ଯେ ଅନ୍ୟ ଦେଶ ତୁଳନାରେ ଭାରତରେ ଏଭଳି ଅଶ୍ଳୀଳତା ଅଧିକ ପ୍ରଚଳିତ। କିନ୍ତୁ ମେଟା ମହିଳା ୟୁଜରମାନଙ୍କୁ ଛାଡି କେବେ ମଧ୍ୟ ସଫଳ ହୋଇପାରିବ ନାହିଁ ।

ଅଶ୍ଳୀଳ ବିଷୟବସ୍ତୁ, ଜଟିଳ ଆପ ଡିଜାଇନ, ଭାଷା ପ୍ରତିବନ୍ଧକ, ଏବଂ ଭିଡିଓ ବିଷୟବସ୍ତୁ ଖୋଜୁଥିବା ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରେ ଅପିଲର ଅଭାବ ଫେସବୁକ ୟୁଜରଙ୍କ ସଂଖ୍ୟା ବୃଦ୍ଧିରେ ବାଧା ସୃଷ୍ଟି କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଭାରତରେ ୪୫ କୋଟି ଫେସବୁକ ୟୁଜର ଅଛନ୍ତି। ଯାହା ଅନ୍ୟ ଦେଶ ତୁଳନାରେ ବେଶ୍‌ ଅଧିକ। କିନ୍ତୁ ହ୍ବାଟସ ଆପ ଏବଂ ଇନଷ୍ଟାଗ୍ରାମ ପରି କମ୍ପାନୀ ମାଲିକାନା ପ୍ଲାଟଫର୍ମ ତୁଳନାରେ ଗତ ବର୍ଷ ଠାରୁ ଫେସବୁକରେ ୟୁଜରଙ୍କ ହ୍ରାସ ପାଇବାରେ ଲାଗିଛି। ତେଣୁ, କମ୍ପାନୀ ଏହାର ରଣନୈତିକ ସ୍ଥିତି ଏବଂ ଅଭିବୃଦ୍ଧି ସୁଯୋଗକୁ ସ୍ପଷ୍ଟ ଭାବରେ ବିଚାର କରିବା ଲାଗି ଯୋଜନା ପ୍ରସ୍ତୁତ କରିଛି।

ଫେସବୁକ ସର୍ଭେ ରିପୋର୍ଟ ଅନୁଯାୟୀ, ୭୯ ପ୍ରତିଶତ ମହିଳା ୟୁଜର ବିଷୟବସ୍ତୁ / ଫଟୋଗୁଡ଼ିକର ଅପବ୍ୟବହାରକୁ ନେଇ ଉଦବେଗ ପ୍ରକାଶ କରୁଛନ୍ତି। ଏଥି ସହିତ, ୨୦-୩୦ ପ୍ରତିଶତ ମହିଳା ଗତ ସାତ ଦିନ ମଧ୍ୟରେ ଫେସବୁକରେ ଅଶ୍ଳୀଳ କଣ୍ଟେଟର ସମ୍ମୁଖୀନ ହୋଇଥିବା ସ୍ବୀକାର କରିଛନ୍ତି। ତେବେ ଲକ ପ୍ରୋଫାଇଲ ବୈଶିଷ୍ଟ୍ୟ ପ୍ରଚଳନ ହେବା ପରଠାରୁ, ଜୁନ ୨୦୨୧ ସୁଦ୍ଧା, ଭାରତର ୩୪ ପ୍ରତିଶତ ମହିଳା ଏହି ବୈଶିଷ୍ଟ୍ୟ ଗ୍ରହଣ କରିଛନ୍ତି।

ମହିଳାମାନେ ଦୂରେଇ ଯାଉଥିବାର ଦେଖି ମେଟା ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ ୨୦୧୬ ପରଠାରୁ କମ୍ପାନୀ ସୁରକ୍ଷା ଏବଂ ଗୋପନୀୟତା ଉପରେ କାର୍ଯ୍ୟ କରୁଥିବା ବିଶ୍ୱସ୍ତରୀୟ ଦଳର ସଦସ୍ୟଙ୍କ ସଂଖ୍ୟାକୁ ଚାରିଗୁଣା କରିଦେଇଛି। ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ, ୯୭ ପ୍ରତgିଶତରୁ ଅଧିକ ଅଶ୍ଳୀଳ ତଥା ଯୌନ ବିଷୟବସ୍ତୁକୁ ଅଭିଯୋଗ ଆସିବା ପୂର୍ବରୁ ଅପସାରଣ କରାଯାଇଛି। ଏହାପୂର୍ବରୁ, ୨୦୧୯ରେ କମ୍ପାନୀ କହିଥିଲା ଯେ ଏହାର ଏକ ଦଳ ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ବୈଷୟିକ ଉପକରଣ ବ୍ୟବହାର କରୁଛନ୍ତି।

Share