Categories: ଜାତୀୟ

ଜୟସାଲମେରରେ ଥିଲେ ତୃଣଭୋଜୀ ଡାଇନୋସର

ଲକ୍ଷ୍ନୌ,୯ା୮: ରାଜସ୍ଥାନର ଜୟସାଲମେରରୁ ଆଇଆଇଟି-ରୁର୍‌କୀ ଏବଂ ଭାରତର ଭୂତାତ୍ତ୍ୱିକ ସର୍ଭେ (ଜିଏସ୍‌ଆଇ)ର ବୈଜ୍ଞାନିକମାନେ ବିଶ୍ୱର ସବୁଠୁ ପୁରାତନ ନୂଆ ପ୍ରଜାତିର ଡାଇନୋସର ଜୀବାଶ୍ମ ଠାବ କରିଛନ୍ତି। ଉକ୍ତ ଡାଇକ୍ରାଓସାଉରିଡ୍‌ ଡାଇନୋସରର ବେକ ଲମ୍ବା ଓ ଏହା ତୃଣଭୋଜୀ ଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି। ଭାରତ ଡାଇନୋସର ବିବର୍ତ୍ତନର ଏକ ବଡ଼ କେନ୍ଦ୍ର ଥିଲା ବୋଲି ଉକ୍ତ ଆବିଷ୍କାରରୁ ସ୍ପଷ୍ଟ ହୋଇଛି। ‘ନେଚର’ର ଅନ୍ତର୍ଜାତୀୟ ପତ୍ରିକା ‘ସାଇଣ୍ଟିଫିକ୍‌ ରିପୋର୍ଟ’ରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ଉକ୍ତ ଜୀବାଶ୍ମ ୧୬୭ ନିୟୁତ ବର୍ଷର ପୁରୁଣା ଓ ଏକ ନୂଆ ପ୍ରଜାତି, ଯାହା ଏପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କୁ ଜଣା ନ ଥିଲା। ଥର୍‌ ମରୁଭୂମିରୁ ଏହି ଜୀବାଶ୍ମ ମିଳିଥିବାରୁ ସେଥିରେ ଦେଶର ନାଁକୁ ଯୋଡ଼ାଯାଇ ଏହାର ନାମକରଣ ‘ଥରୋସୌରସ୍‌ ଇଣ୍ଡିସସ୍‌’ କରାଯାଇଛି।
ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଡାଇକ୍ରାଓସାଉରିଡ୍‌ ଡାଇନୋସରର ଜୀବାଶ୍ମ ପୂର୍ବରୁ ଉତ୍ତର ଓ ଦକ୍ଷିଣ ଆମେରିକା, ଆଫ୍ରିକା ଏବଂ ଚାଇନାରେ ମିଳିଥିଲା। ଏଭଳି ଫସିଲ ଭାରତରେ ଥିବା ଜଣା ନ ଥିଲା। ରାଜସ୍ଥାନର ଜୟସାଲମେର ଅଞ୍ଚଳରେ ଜିଏସ୍‌ଆଇ ପକ୍ଷରୁ ୨୦୧୮ରେ ବ୍ୟବସ୍ଥିତ ଭାବେ ଜୀବାଶ୍ମ ଆବିଷ୍କାର ଓ ଖନନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବୋଲି ପ୍ରଫେସର ସୁନିଲ ବାଜପାୟୀ କହିଛନ୍ତି। ସେ ଆଇଆଇଟି-ରୁର୍‌କୀରେ ଭୂବିଜ୍ଞାନ ବିଭାଗର ଭର୍ଟେବ୍ରେଟ୍‌ ପାଲାଓଣ୍ଟୋଲୋଜିର ମୁଖ୍ୟ ପ୍ରଫେସର ଅଛନ୍ତି। ସେ ତାଙ୍କ ସହକର୍ମୀ ଦେବଜିତ ଦତ୍ତଙ୍କ ସହ ୫ ବର୍ଷ ହେଲା ଜୀବାଶ୍ମ ଉପରେ ସବିଶେଷ ଅଧ୍ୟୟନ ଚଳାଇଥିଲେ। ଏହା ପୂର୍ବରୁ ଉକ୍ତ ପ୍ରଜାତିର ଅନ୍ୟ ଯେଉଁ ଡାଇନୋସର ଜୀବାଶ୍ମ ଠାବ ହୋଇଥିଲା, ତାହା ତୁଳନାରେ ଭାରତରୁ ମିଳିଥିବା ଜୀବାଶ୍ମ ସବୁଠୁ ପୁରୁଣା ବୋଲି କୁହାଯାଉଛି। ଚାଇନାରୁ ମିଳିଥିବା ଜୀବାଶ୍ମ ପୂର୍ବରୁ ସବୁଠୁ ପୁରାତନ କୁହାଯାଉଥିଲା, ଯାହା ୧୬୬ରୁ ୧୬୪ ନିୟୁତ ବର୍ଷ ତଳର ବୋଲି ଆକଳନ କରାଯାଇଥିଲା।

Share