ଜାପାନରେ ଅଣ୍ଡା ଅଭାବ, ଖାଇବାକୁ ମିଳୁନି ବର୍ଗର…

ଟୋକିଓ,୧୧।୩ : ଅତୀତରେ ବ୍ରିଟେନ, ଉତ୍ତର କୋରିଆ, ଫିଲିପାଇନ୍ସ ଭଳି ଦେଶରେ ଖାଦ୍ୟ ସଙ୍କଟ ଖବର ଆସିଥିଲା। ବ୍ରିଟେନରେ ପରିସ୍ଥିତି ଏପରି ହୋଇଥିଲା ଯେ ସେଠାରେ ଥିବା ଅନେକ ବଡ ବଡ ଦୋକାନ ବଜାରରେ କିଛି ଫଳ ଏବଂ ପନିପରିବା ଉପରେ କ୍ରୟ ସୀମା ସ୍ଥିର କରାଯାଇଥିଲା। ବର୍ତ୍ତମାନ ଜାପାନରେ ଅଣ୍ଡାର ବହୁତ ଅଭାବ ଦେଖାଦେଇଛି। ଜାପାନର ମ୍ୟାକଡୋନାଲ୍ଡସ, ୭-ଇଲେଭେନ ଏବଂ କ୍ୟୁପାୟ ଭଳି ଅନେକ ବଡ କମ୍ପାନୀ ଅଣ୍ଡାରୁ ପ୍ରସ୍ତୁତ ଖାଦ୍ୟ ବିକ୍ରୟ କରିବା ବନ୍ଦ କରି ଦେଇଛନ୍ତି ।

ଅଣ୍ଡା ଅଭାବ ଯୋଗୁ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ଜାପାନ ଟୁଡେ ଅନୁଯାୟୀ କିଛି ଦିନ ପୂର୍ବରୁ ଜାପାନରେ ଅଣ୍ଡାର ଏକ କାର୍ଟୁନ ବାକ୍ସର ମୂଲ୍ୟ ୧୨୦ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ମଧ୍ୟମ ଆକାରର ଅଣ୍ଡାର ଏକ କାର୍ଟୁନର ମୂଲ୍ୟ ୨୦୧ ଟଙ୍କାରେ ପହଞ୍ଚିଛି।

ଖବର ଅନୁଯାୟୀ, ଜାପାନର ୧୮ ତାଲିକାଭୁକ୍ତ ରେଷ୍ଟୁରାଣ୍ଟ ରବିବାର ପର୍ଯ୍ୟନ୍ତ ଅଣ୍ଡା ସମ୍ବନ୍ଧୀୟ ଜିନିଷ ଉତ୍ପାଦନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆର୍ଥିକ ଅନୁସନ୍ଧାନ କମ୍ପାନୀ ଟାଇକୋକୁ ଡାଟାବାଙ୍କ ଅନୁଯାୟୀ ଫେବୃଆରୀରେ ହୋଲସେଲ ଅଣ୍ଡାର ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇ ୧୯୭ ଟଙ୍କାରେ ପହଞ୍ଚିଛି।

ଅଣ୍ଡାର ଅଭାବ ସାଧାରଣ ଲୋକଙ୍କ ଖାଦ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି। ଜାପାନର ଲୋକପ୍ରିୟ ଫାଷ୍ଟଫୁଡ କମ୍ପାନୀ ମ୍ୟାକଡୋନାଲ୍ଡର ଖାଦ୍ୟ ଦୋକାନରେ ବର୍ଗର ଆଉ ମେନୁରେ ନାହିଁ। ଅଣ୍ଡା ଏବଂ ସସ ସହିତ ପ୍ରସ୍ତୁତ ଜଳଖିଆ ସାଣ୍ଡୱିଚ ମଧ୍ୟ ଲୋକଙ୍କ ପାଇଁ ଖାଇବା କଷ୍ଟକର ହୋଇପଡିଛି। ଅଣ୍ଡା ଯୋଗାଣରେ ସଙ୍କଟ ଜାରି ରହିଲେ ଅଣ୍ଡା ସହିତ ବର୍ଗର ବିକ୍ରୟ କରିବା ସାମୟିକ ଭାବେ ବନ୍ଦ ହୋଇପାରେ ବୋଲି କମ୍ପାନୀ ଚେତାବନୀ ଦେଇଛି।

Share