ଜେଲରେ ଏ କ’ଣ ଚାଲିଛି ! ହାତରେ ଛୁରୀ ଧରି କଏଦୀ କଲେ ଭିଡିଓ ଶୁଟ୍‌, ଭାଇରାଲ ପରେ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଚାଲୁଛି ଅପରାଧୀଙ୍କ ରାଜୁତି। ଜେଲ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। ଏପରିକି କଏଦୀମାନେ ମୋବାଇଲ ଫୋନ୍‌ ବ୍ୟବହାର କରି ଅପରାଧ ଘଟାଉଛନ୍ତି। ମଙ୍ଗଳବାର ଏପରି ଏକ ଭିଡିଓ ଭାଇରାଲ ହେବା ପରେ ଜେଲ ଭିତରର ଗୁମର ପଦାରେ ପଡ଼ିଛି।

ଭିଡିଓରେ ଝାରପଡା ଜେଲରେ ଜଣେ ବିଚାରଧିନୀ କଏଦୀ ହାତରେ ଛୁରୀ ଧରି ଭୟଭୀତ କରୁଥିବା ଦେଖିବାକୁ ମିଳୁଛି। ସ୍ମାର୍ଟଫୋନ୍‌ରେ ଏହି ଭିଡିଓ ଶୁଟ୍‌ କରାଯାଇ ବାହାରକୁ ଛଡ଼ାଯାଉଛି। ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଏଭଳି ଭିଡିଓ ଶୁଟ୍‌ କରି ପଠାଯାଉଥିବା ଅଭିଯୋଗ ହୋଇଛି। ତେବେ ଏଭଳି ଭିଡିଓ ଭାଇରାଲ ହେବା ପରେ ଝାରପଡା ଜେଲର ସୁରକ୍ଷା ଦିଗକୁ ନେଇ ପ୍ରଶ୍ନ ଉଠିଛି। ଭିଡିଓରେ ଥିବା ବିଚାରଧିନ କଏଦୀଙ୍କ ନାଁ ନନ୍ଦୁ ନାୟକ ହୋଇଥିବାବେଳେ ବ୍ରାଉନସୁଗର କାରବାର ମାମଲାରେ ସେ ଜେଲରେ ଅଛନ୍ତି।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୯ ନଂ. ବାରାକ୍‌ରେ ଚଢ଼ାଉ କରାଯାଇଥିଲା। ଏକ ସ୍ଥାନରେ ଲୁଚାଇ ରଖାଯାଇଥିବା ମୋବାଇଲ ଓ ଛୁରୀ ଜବତ ହୋଇଛି। ଏହି ଘଟଣାରେ ନନ୍ଦୁଙ୍କ ନାଁରେ ଜେଲ ଅଧ୍ୟକ୍ଷ ମନୋରଞ୍ଜନ ପ୍ରତିହାରୀ ଲକ୍ଷ୍ମୀଶାଗର ଥାନାରେ ଏତଲା ଦେଇଛନ୍ତି। ଏନେଇ ମନୋରଞ୍ଜନ କହିଛନ୍ତି, ଏହି ଘଟଣାରେ ଆମ ପକ୍ଷରୁ ତଦନ୍ତ କରାଯାଉଛି। କେମିତି ଛୁରୀ ଓ ମୋବାଇଲ ଆସିଲା ତାହା ଜାଣିବାକୁ ଛାନଭିନ୍‌ ଚାଲିଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିହାରୀ କହିଛନ୍ତି।

Share