କରହଲ,୧୮।୨: ଏବେ ସମସ୍ତ ନଜର ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନ ଉପରେ। ଏହି ଆସନରୁ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ନିର୍ବାଚନ ଲଢୁଛନ୍ତି। ଏନେଇ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଗୁରୁବାର କରହଲରେ ନିର୍ବାଚନ ପ୍ରଚାର କରିଥିଲେ। ମୁଲାୟମ ଉଦ୍ବୋଧନ ଦେଇ ଜନସାଧାରଣଙ୍କୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ନିବେଦନ କରିଥିଲେ।
ହେଲେ ସେ ଏହି ଆସନରୁ ଅଖିଳେଶ ଛିଡ଼ା ହୋଇଥିବା ଭୁଲିଯାଇଥିଲେ। ଏନେଇ ପାଖରେ ଥିବା ଏମ୍ପି ଧର୍ମେନ୍ଦ୍ର ଯାଦବ ଅଖିଳେଶ କରହଲ ଆସନରୁ ନିର୍ବାଚନ ଲଢୁଥିବା ମୁଲାୟମଙ୍କୁ ମନେପକାଇ ଥିଲେ। ଏହା ସତ୍ତ୍ବେ ମୁଲାୟମ ଏହି ଆସନରୁ ସମାଜବାଦୀ ପାର୍ଟି ପକ୍ଷରୁ କିଏ ଛିଡ଼ା ହୋଇଛନ୍ତି ସେ ଜାଣିନାହାନ୍ତି । ତେବେ ଯିଏ ବି ଛିଡ଼ା ହୋଇଛନ୍ତି, ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ।
ମୁଲାୟମ ପୁଅଙ୍କ ନାଁ ଭୁଲିଯିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଖିଳେଶଙ୍କୁ କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ସମାଜବାଦୀ ପାର୍ଟିର ପରିସ୍ଥିତି ଖରାପ ହୋଇଯାଇଛି। ମୁଲାୟମ ଏହା ଠିକ୍ ଭାବେ ଜାଣିଛନ୍ତି, ଏହି ଆସନରୁ କିଏ ଜିତିବ, ଏନେଇ ସେ ଏଭଳି ମନ୍ତବ୍ୟ ଦେଇଥିବା କହିଛନ୍ତି।