Categories: ଜାତୀୟ

ବୋହୂ ମାଛ ତରକାରୀ ପ୍ରସ୍ତୁତ ନ କରିପାରିବାରୁ ଶାଶୁଘର ଲୋକେ ନେଲେ ଏମିତି ନିଷ୍ପତ୍ତି

ପାଟନା,୧୮।୧୧: ବିହାରର ସୁପୌଲରେ ଏକ ଅଭାବନୀୟ ଘଟଣା ଘଟିଛି। ବୋହୂ ମାଛ ପ୍ରସ୍ତୁତ କରି ନ ପାରିବାରୁ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ପରେ ମହିଳାଙ୍କ ମୃତଦେହକୁ ଅଖା ଭିତରେ ସିଲ କରି ଗାଁ ନିକଟ କେନାଲ ନିକଟରେ ଫିଙ୍ଗି ଦିଆଯାଇଥିଲା। ମହିଳାଙ୍କ ପରିବାର ଲୋକେ ଝିଅର କୌଣସି ସୂଚନା ନ ପାଇବାରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ରତନପୁର ଥାନା ଅନ୍ତର୍ଗତ କୋସି ପୂର୍ବ ବନ୍ଧ ବନ୍ଧାଖଣ୍ଡ ଗ୍ରାମ ନିକଟ କୋସି ନଦୀରୁ ଦୁଇ ଦିନ ପୂର୍ବରୁ ଏହି ମହିଳାଙ୍କ ମୃତଦେହ ଅଖା ଭିତରୁ ମିଳିଥିଲା। ପୋଲିସ ଲୋକଙ୍କ ସୂଚନାରେ ପହଞ୍ଚି ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହିତ ତାଙ୍କୁ ଚିହ୍ନିବା ପାଇଁ ଉଦ୍ୟମ କରାଯାଇଥିଲା। ମହିଳାଙ୍କ ପରିବାର କିଛି ଦିନ ପୂର୍ବରୁ ପୋଲିସ ଷ୍ଟେଶନରେ ଝିଅ ନିଖୋଜ ଥିବା ଅଭିଯୋଗ କରିଥିଲେ। ମହିଳାଙ୍କ ମୃତଦେହ ଦେଖି ପରିବାର ସଦସ୍ୟଙ୍କ କାନ୍ଦି କାନ୍ଦି ବେହୋଶ ହୋଇପଡିଛନ୍ତି। ଏଥି ସହ ମୃତ ସୁନୀଲା ଦେବୀଙ୍କ ପିତା ବିଷ୍ଣୁଦେବ ପାସୱାନ ପୋଲିସକୁ କହିଛନ୍ତି ଯେ, ତାଙ୍କ ଝିଅ ଗତ ମାର୍ଚ୍ଚ ମାସରେ ଶୟତାନପାଟୀ ପଞ୍ଚାୟତର ଢାଂଢା ଗ୍ରାମ ନିବାସୀ ଅମଲେଶ ପାସୱାନଙ୍କ ପୁଅ ଶେଭେଶ ପାସୱାନଙ୍କୁ ବିବାହ କରିଥିଲେ। ଦୀପାବଳି ପରେ ଯେତେବେଳେ ମାମୁଁ ଝିଅକୁ ଦେଖା କରିଥିଲେ, ସେତେବେଳେ ତାଙ୍କୁ ଶାଶୁ ଘରେ ଦେଖିବାକୁ ମିଳି ନଥିଲା। ଏହାପରେ ଏନେଇ ଥାନାରେ ମାମଲା ରୁଜୁ କରିଥିଲେ।

Share