୨ ମାସ ତଳେ ହାତୀ ଭାଙ୍ଗିଥିଲା କାନ୍ଥ, ବର୍ଷା ସାଧିଲା  ଦାଉ, ଚାଲିଗଲା ଅଢ଼େଇ ବର୍ଷର ପୁଅ ଜୀବନ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): କାନ୍ଥ ପଡ଼ି ଚାଲିଗଲା ଅଢେଇ ବର୍ଷର ଶିଶୁ ପୁତ୍ରର ଜୀବନ।  ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ବାଇବାଲି ତୋଟା ସାହିରେ।  ଶନିବାର ରାତିରେ କାନ୍ଥ ପଡ଼ି ଏକ ୨ ବର୍ଷର ଶିଶପୁତ୍ର ମୃତ୍ୟୁବରଣ କରିଛନ୍ତି। ଏଥିସହ ତାଙ୍କ ବାପା ମା’ ଗୁରୁତର ହୋଇଛନ୍ତି। ମୃତ ଶିଶୁ ପୁତ୍ର ହେଲେ ଋ଼ଷି ପ୍ରଧାନ (୨) । ଏଥିରେ ଋଷିଙ୍କ ବାପା ବସନ୍ତ ଏବଂ ମା’ ଆହତ ହୋଇଛନ୍ତି। ଉଭୟ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଭଞ୍ଜନଗର ପୋଲିସ, ରାଜସ୍ବ ଏବଂ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଏହିଭଳି ଘଟଣାକୁ ନେଇ ସଂମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଘଟଣାରୁ ପ୍ରକାଶ ଯେ, ଦୁଇମାସ ପୂର୍ବେ ବସନ୍ତଙ୍କ ଘରକୁ ହାତୀପଲ ଆସି ଭାଙ୍ଗିଦେଇଥିଲେ । ଏନେଇ ବସନ୍ତ ବନ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। କିନ୍ତୁ ବନ ବିଭାଗ ପକ୍ଷରୁ ବସନ୍ତଙ୍କୁ କୌଣସି ସହାୟତା ପାଇଁ ପଦକ୍ଷେପ ନେଇ ନ ଥିଲେ। ବସନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁ ଘରକୁ ମରାମତି ନକରି ଭଙ୍ଗା ଘରେ ହିଁ ରହୁଥିଲେ। ଏହିଭଳି ପରିସ୍ଥିତିରେ ବିଗତ କିଛି ଦିନ ହେବ ସଂମ୍ପୃକ୍ତ ଅଞ୍ଚଳରେ ଝିପିଝିପି ବର୍ଷା ଯୋଗୁ କାନ୍ଥ  ଭିଜି  ଥିଲା। ଶନିବାର ରାତିରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ କାନ୍ଥ  ଭୁଶୁଡ଼ି ସେମାନଙ୍କ ଉପରେ ପଡିଥିଲା। ପରେ ସେମାନଙ୍କର ଚିତ୍କାର  ପଡ଼ୋଶୀ ଉଠି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ରବିବାର ସକାଳେ ଡାକ୍ତର ପୁଅଙ୍କୁ ମୃତ ଘୋଷଣା କରିଥିଲେ। ମା’ ବାପା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଆହତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମେଡିକାଲ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜସ୍ବ ଏବଂ ବନ ବିଭାଗ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି।