ମୁମ୍ବାଇ,୧୮।୨: ପେଟ୍ରୋଲର ଲିଟର ପିଛା ୧୦୦ଟଙ୍କା ଡେଇଁବା ପରେ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି। ପେଟ୍ରୋଲ ଦର ବୃଦ୍ଧି ଉପରେ କୌଣସି ମତ ରଖି ନ ଥିବାରୁ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ ସମେତ ନାମୀଦାମୀ ସେଲିବ୍ରିଟିଙ୍କୁ ଧମକ ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲ। କଂଗ୍ରେସ ନେତା ପାଟୋଲ କହଛନ୍ତି, ଉପା ସରକାର ସମୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ଯେତେବେଳେ ୭୦ ଟଙ୍କାକୁ ବୃଦ୍ଧି ପାଇଥିଲା ସେତେବେଳେ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାର ଭଳି ତାରକା ବୟାନବାଜି କରିବା ସହ ଏକାଧିକ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଟପି ଯାଇଥିବା ବେଳେ ସେଲିବ୍ରିଟି କାହିଁକି ଚୁପ ରହିଛନ୍ତି। ମୋଦି ସରକାରଙ୍କ ବିରୋଧରେ କହିବାକୁ ତାଙ୍କର ସାହସ ନାହିଁ। ତେଣୁ ଅକ୍ଷୟ କୁମାର ଏବଂ ବିଗ ବିଙ୍କ ଫିଲ୍ମ ସୁଟିଂକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଫିଲ୍ମ ସୁଟିଂ ବନ୍ଦ ଚେତାବନକୁ ନେଇ ଭାଜପାନେତା ରାମ କାଦାମ କଂଗ୍ରସକୁ ଜବାବ ଦେଇଛନ୍ତି। ବଲିଉଡ ତାରକାଙ୍କ ଅପରାଧ କ’ଣ ବୋଲି ସେ ଓଳଟା ପ୍ରଶ୍ନ କରିଛନ୍ତି।