ମହାମାରୀ କରୋନାର ଦ୍ୱିତୀୟ ଲହରରେ ପ୍ରିୟଜନଙ୍କୁ ହରାଇଛନ୍ତି ଅନେକେ। ସେମାନଙ୍କ ମଧ୍ୟରୁ କିଛି ଦୁଃଖଦ ସମୟରୁ ନିଜକୁ ବାହାର କରି କିଛି ଅଲଗା କରି ଉଦାହରଣ ପାଲଟିଛନ୍ତି। ସେଭଳି ଜଣେ ହେଲେ ଚେନ୍ନାଇର ଆର୍ ସିଥା ଦେବୀ। ଡାଏଲିସିସ୍ ରୋଗୀ ଥିବା ସିଥାଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ସିଥା ତାଙ୍କୁ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଖାଲି ଶଯ୍ୟା ନ ଥିବାରୁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରିବାକୁ ପଡ଼ିଲା। ଦୀର୍ଘ ୪ ଘଣ୍ଟା ପରେ ଶଯ୍ୟା ମିଳିଥିଲେ ହେଁ ତାଙ୍କୁ ବଞ୍ଚା ଯାଇ ପାରି ନ ଥିଲା। ଶେଷରେ ନିଜ ମା’ଙ୍କୁ ହରାଇଥିଲେ ସେ। ଠିକ୍ ସମୟରେ ଅମ୍ଳଜାନ ଯୋଗାଣ ହୋଇପାରିଥିଲେ ତାଙ୍କୁ ବଞ୍ଚାଯାଇପାରିଥାନ୍ତା ବୋଲି ସିଥା ଅନୁଭବ କରିଥିଲେ। ଏଣୁ ତାଙ୍କ ମା’ଙ୍କ ଭଳି ଅନ୍ୟ କେହି ସେଭଳି ଅସୁବିଧା ନ ଭୋଗନ୍ତୁ ବୋଲି ସେ ସ୍ଥିର କରିଥିଲେ। ମା’ଙ୍କ ସ୍ମୃତିରେ ସେ ଅମ୍ଳଜାନ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ।
ମେ’ ୬ ତାରିଖରେ ସିଥା ନିଜ ଏନ୍ଜିଓର ଖାଦ୍ୟ ଯୋଗାଣରେ ବ୍ୟବହୃତ ଏକ ଅଟୋରିକ୍ସାକୁ ଠିକ୍ କରିଥିଲେ। ସେଥିରେ ସେ ଏକ ଅମ୍ଳଜାନ ସିଲିଣ୍ଡର ରଖିଥିଲେ। ସେବେଠାରୁ ପ୍ରତିଦିନ ସକାଳ ୭ଟା ବେଳକୁ ତାଙ୍କ ଗାଡ଼ି ରାଜୀବ ଗାନ୍ଧୀ ହସ୍ପିଟାଲ ବାହାରେ ଛିଡ଼ା ହୋଇଥାଏ। ସେ ଦୀର୍ଘ ୧୨ ଘଣ୍ଟା ଧରି ଆବଶ୍ୟକ କରୁଥିବା ରୋଗୀଙ୍କୁ ଅମ୍ଳଜାନ ଯୋଗାଇଥାନ୍ତି। ସହାୟତା ଦେବା ଲାଗି ୨୪ ଘଣ୍ଟା ଧରି ତାଙ୍କ ଫୋନ୍ ଅନ୍ ରହିଥାଏ। ଜରୁରୀକାଳୀନ ପରିସ୍ଥିତିରେ କେହି ଅମ୍ଳଜାନ ନେଇ ଫୋନ୍ କଲେ ତାଙ୍କ ସ୍ବେଚ୍ଛାସେବୀ ଟିମ୍ ସେଠାରେ ପହଞ୍ଚି ଗାଡ଼ିରେ ସେମାନଙ୍କୁ ଅମ୍ଳଜାନ ଯୋଗାଇ ଦେଇଥାନ୍ତି। ଇତି ମଧ୍ୟରେ ସେ ୫୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଏହି ସୁବିଧା ଯୋଗାଇବାରେ ସକ୍ଷମ ହୋଇଛନ୍ତି। ଏବେ ସେ ଆଉ ଦୁଇଟି ଅଟୋରିକ୍ସାକୁ ସେ ଅମ୍ଳଜାନ ଯୋଗାଣକାରୀ ଯାନରେ ପରିଣତ କରିଛନ୍ତି। ଏହାଛଡ଼ା ସେ ଅଭାବୀ ଲୋକଙ୍କୁ ଖାଦ୍ୟ ବଣ୍ଟନ, ସାନିଟାରୀ ନାପକିନ୍ ଡିସ୍ପେନସର ସ୍ଥାପନ ଏବଂ କୋଭିଡ ୧୯ରେ ସଂକ୍ରମିତ ଅଜ୍ଞାତ ଶବର ସତ୍କାର ଭଳି କାର୍ଯ୍ୟ କରୁଥିବା ସିଥା କୁହନ୍ତି।