ମୋ ବସ୍‌ରେ ଯାତ୍ରୀଙ୍କୁ ନକଲି ଟିକେଟ ଦେଇ ଟଙ୍କା ଆତ୍ମସାତ, କଣ୍ଡକ୍ଟର ଗିରଫ

ଭୁବନେଶ୍ୱର,୯।୧୦ (ସୂର୍ଯ୍ୟକାନ୍ତ ବେହେରା) : ମୋ ବସ୍‌ରେ ଯାତ୍ରୀମାନଙ୍କୁ ନକଲି ଟିକେଟ ଦେଇ ଟଙ୍କା ହଡପ କରିବା ଅଭିଯୋଗରେ ଇନ୍‌ଫୋସିଟି ଥାନା ପୋଲିସ ଜଣେ କଣ୍ଡକ୍ଟରଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ନାରାୟଣ ଜେନା (୨୪)। ନାରାୟଣ ପୁରୀ-ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ଏକ ମୋ ବସ୍‌ରେ ଗାଇଡ୍‌ ବା କଣ୍ଡକ୍ଟର ଭାବେ କାର୍ଯ୍ୟକରୁଥିଲେ। ସେ ଦିଆଯାଇଥିବା ମେଶିନରୁ ଯାତ୍ରୀମାନଙ୍କୁ ଟିକେଟ ନ ଦେଇ ନକଲି ଟିକେଟ ଦେଉଥିଲେ। ଉକ୍ତ ଅର୍ଥକୁ ସେ ମୋ’ବସ ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା କ୍ରୁଟ୍‌କୁ ନ ଦେଇ ନିଜ ପକେଟରେ ପୂରାଉଥିଲେ। ଏନେଇ ସୂଚନା ପାଇବା ପରେ ଉକ୍ତ ସଂସ୍ଥାର ଏକ ଯାଞ୍ଚକାରୀ ଦଳର ସଦସ୍ୟମାନେ ଗତ ୪ ତାରିଖରେ ଯାତ୍ରୀ ବେଶରେ ଉକ୍ତ ବସ୍‌ରେ ଯାତ୍ରା କରିଥିଲେ। ଅଭିଯୁକ୍ତ ନାରାୟଣ ସେମାନଙ୍କୁ ନକଲି ଟିକେଟ ଦେଇଥିଲେ। ଉକ୍ତ ଟିକେଟକୁ ଯାଞ୍ଚ କରାଯିବା ପରେ ତାହା ନକଲି ବୋଲି ସ୍ପଷ୍ଟ ହୋଇଥିଲା। ନିରଞ୍ଜନ ଏପରି ନକଲି ଟିକେଟ ଦେଇ ଏ ବାବଦ ଅର୍ଥକୁ ନିଜେ ଆତ୍ମସାତ୍‌ କରିଥିବା ଜଣାପଡିବା ପରେ ପଟିଆସ୍ଥିତ ବସ୍‌ ଅପରେଟ ମ୍ୟାନେଜର ଏମ.ଜୟନ୍ତ କୁମାର ଥାନାରେ ଅଭିଯୋଗ କରିଥିଲେ।

Share