Categories: ଖେଳ

‘ଧୋନୀଙ୍କ ଅନୁପସ୍ଥିତିରେ ଖୋଜିବାକୁ ପଡ଼ିବ ସଫଳତାର ବାଟ’

ନୂଆଦିଲ୍ଲୀ,୧୬।୭: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତିରେ ଚାଇନା ମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ସଫଳ ହେବାର ବାଟ ଖୋଜିବାକୁ ପଡ଼ିବ। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ ସ୍ପିନର ଭେଙ୍କଟପଥି ରାଜୁ।

ଶ୍ରୀଲଙ୍କାରେ ବଲ ତଳୁଆ ରହିବ। ସାଧାରଣତଃ ସେଠାରେ ସ୍ପିନରଙ୍କୁ ସହାୟତା ମିଳେ। ପୁଣି ଥରେ ଟିମ୍‌ ଇଣ୍ଡିଆରେ ସ୍ଥାନ ପକ୍କା କରିବା ଲାଗି ଏହା କୁଲଦୀପଙ୍କ ପାଇଁ ଭଲ ସୁଯୋଗ। ଆଇପିଏଲ ଓ ଟି୨୦ ବିଶ୍ୱକପ୍‌ ୟୁଏଇରେ ଖେଳାଯିବ। ସେଠାକାର ପିଚ୍‌ ସମ୍ଭବତଃ ଡ୍ରାଏ ରହିବ। ଏଣୁ କୁଲଦୀପ ମ୍ୟାଚ୍‌ ଓ୍ବିନର ସାବ୍ୟସ୍ତ ହୋଇପାରନ୍ତି। ଦୁର୍ଭାଗ୍ୟବଶତଃ, କୁଲଦୀପଙ୍କ ଉନ୍ନତିରେ ଅଧିନାୟକଙ୍କ ବଡ଼ ଭୂମିକା ରହିଛି। ସେ ଧୋନୀଙ୍କ ନେତୃତ୍ୱରେ ଖେଳିବାକୁ ସହଜ ମନେ କରୁଥିଲେ, ଯାହା ସେ ବହୁବାର କହିଛନ୍ତି। ଧୋନୀଙ୍କ କ୍ୟାରିୟର ଶେଷ ହୋଇସାରିଛି। ତାଙ୍କୁ ନିଜ ଆଡ଼ୁ ସମାଧାନ ଖୋଜିବାକୁ ପଡ଼ିବ ବୋଲି ପୂର୍ବତନ କ୍ରିକେଟର କହିଛନ୍ତି।

ପୂର୍ବରୁ ଉଇକେଟ ପଛରେ ରହି ଧୋନୀ କୁଲଦୀପଙ୍କୁ ମାର୍ଗଦର୍ଶନ ଦେଉଥିଲେ। ଧୋନୀଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇବା ପୂର୍ବରୁ କୁଲଦୀପ ୯୩ ଉଇକେଟ ହାତେଇଥିଲେ। କିନ୍ତୁ ଗତ ଦୁଇ ବର୍ଷରେ ମାତ୍ର ୧୨ ଉଇକେଟ ନେବାକୁ ସକ୍ଷମ ହୋଇଛନ୍ତି କୁଲଦୀପ। ଟେଷ୍ଟ ଦଳରୁ ବାଦ୍‌ ପଡ଼ିବା ପରେ ତାଙ୍କୁ ଦିନିକିଆ ଓ ଟି୨୦ ଦଳରେ ମଧ୍ୟ ନିୟମିତ ସ୍ଥାନ ମିଳୁନାହିଁ।