Categories: ଜାତୀୟ

ନଡ୍ଡାଙ୍କ ବୟାନରେ ବର୍ଷିଲେ କେଜ୍‌ରିଓ୍ବାଲ, କହିଲେ ଭାରତ ମହାନ୍‌ ଥିଲା, ରହିଛି…

ନୂଆଦିଲ୍ଲୀ,୬।୫: ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ଏକ ବିବୃତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଭାରତକୁ ଏବେ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ୯ ବର୍ଷ ପୂର୍ବରୁ ଭାରତ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଁଇ ଚାଲୁଥିଲା, ଏବେ ଭାରତ ସମସ୍ତଙ୍କ ଆଗରେ ନିଜ ହକ୍‌ ଜିତେଇ ପାରିଛି।
ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲ ତାଙ୍କ ଅଫିସିଆଲ ଟୁଇଟର ଜରିଆରେ ଜେ.ପି. ନଡ୍ଡାଙ୍କ ବୟାନକୁ ଶେୟାର କରି କହିଛନ୍ତି ଯେ, ଭାଜପା ସଭାପତିଙ୍କ ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ସବୁ ଭାରତୀୟଙ୍କୁ ଅପମାନିତ କରିଛନ୍ତି। ମୋ ଦେଶ ମହାନ୍‌ ଥିଲା, ମହାନ୍‌ ଅଛି ଏବଂ ସର୍ବଦା ମହାନ୍‌ ରହିବ।
ତେବେ ଏଏପିର ମୁଖପାତ୍ର ସଞ୍ଜୟ ସିଂ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋଦିଜୀଙ୍କ ପୂର୍ବରୁ ଭାରତ ମୁଣ୍ଡ ନୁଆଁଇ ଚାଲୁଥିଲା କି? ଅଟଳଜୀ କ’ଣ ସମସ୍ତଙ୍କ ସାମ୍ନାରେ ହାର୍‌ ମାନି ଯାଇଥିଲେ? ଭାରତ ଅନେକ ଯୁଦ୍ଧରେ ଜିତି ପାକିସ୍ତାନକୁ ଦୁଇ ଭାଗ କରିଦେଇଥିଲା। ଦେଶର ସାହସୀ ପୁଅମାନେ ଏହି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। କାହା ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି। ଦଳକୁ ଭଲ କହିବା ବାହାନାରେ ଦେଶକୁ ଅପମାନ କରନ୍ତୁ ନାହିଁ ବୋଲି ନଡ୍ଡାଙ୍କ ଉଦ୍ଦେଶ୍ୟରେ ସିଂ କହିଛନ୍ତି।

 

Share