ପ୍ୟୋଙ୍ଗୟଙ୍ଗ,୧୬।୫: ଉତ୍ତର କୋରିଆରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। କରୋନା ବୃଦ୍ଧି ହେତୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଚିନ୍ତାରେ ପଡିଯାଇଛନ୍ତି। କରୋନା ମଧ୍ୟରେ କିମ ଲୋକଙ୍କୁ ଔଷଧ ଯୋଗାଇବାରେ ବିଫଳ ହୋଇଥିବାରୁ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି। ଔଷଧ ଯୋଗାଣକୁ ତ୍ୱରାନ୍ବିତ କରିବା ପାଇଁ ସେନା କର୍ମଚାରୀ ନିୟୋଜନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଉତ୍ତର କୋରିଆରେ କରୋନା ବୃଦ୍ଧି ପାଉଥିବା ବେଳେ ସୋମବାର ଏଥିରେ ଆହୁରି ୮ ଜଣଙ୍କ ମୃତ୍ୟୁ ହୋଇଛନ୍ତି। ଏହାସହ ୩,୯୨,୯୨୦ ଜଣ ଲୋକ ଜ୍ୱରରେ ପୀଡିତ ଥିବା ଜଣାପଡିଛି। ଉତ୍ତର କୋରିଆର ଆଣ୍ଟି-ଭାଇରସ ଜରୁରୀକାଳୀନ ମୁଖ୍ୟାଳୟ ରିପୋର୍ଟ କରିଛି ଯେ, ଏପ୍ରିଲ ଶେଷରୁ ୧.୨ ମିଲିୟନ ଲୋକଙ୍କର ଜ୍ୱର ହୋଇଛି, ଏଥିରୁ ୫,୬୪,୮୬୦ ଲୋକ ଆଇସୋଲେସନରେ ଅଛନ୍ତି। ଏପର୍ଯ୍ୟନ୍ତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ଉତ୍ତର କୋରିଆର ୨୬ ନିୟୁତ ଜନସଂଖ୍ୟା ବିଶିଷ୍ଟ ଅଧିକାଂଶ ଲୋକଙ୍କୁ ଟିକାକରଣ କରାଯାଇ ନାହିଁ।
କରୋନା ମହାମାରୀ ଆରମ୍ଭ ହେବାର ଦୁଇ ବର୍ଷରୁ ଅଧିକ ସମୟ ପରେ ଉତ୍ତର କୋରିଆ ଗତ ଗୁରୁବାର କରୋନା ଭାଇରସର ପ୍ରଥମ ଆକ୍ରାନ୍ତ ଚିହ୍ନଟ ନିଶ୍ଚିତ କରିଛି।