ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ଶୀତ ବଢ଼ିଲାଣି। ଅଧିକାଂଶ ସ୍ଥାନରେ ସକାଳେ କୁହୁଡ଼ି ଦେଖିବାକୁ ମିଳୁଥିବା ବେଳେ ପାହାନ୍ତିଆ ଏବଂ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି।
ଗତକାଲି ରାତିରେ ୭ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସହ ଦାରିଙ୍ଗବାଡ଼ିରେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ ଓ କେନ୍ଦୁଝରରେ ୧୩.୮, କୋରାପୁଟରେ ୧୪.୦, ଝାରସୁଗୁଡ଼ାରେ ୧୪.୬, ଭବାନୀପାଟଣାରେ ୧୪.୯, ଭୁବନେଶ୍ୱରରେ ୧୭.୪ ଓ କଟକରେ ୧୭.୫ ଡିଗ୍ରୀ ରେକର୍ଡ କରାଯାଇଛି।