ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ ୫ ପର୍ଯ୍ୟାୟରେ ହୋଇଥିଲା

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶା ଓ ମହାରାଷ୍ଟ୍ର ପତ୍ର ସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ପକ୍ଷରୁ ଶୁକ୍ରବାର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶା ଓ ମହାରାଷ୍ଟ୍ରର ଅବଦାନ ଉପରେ ଏକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ତଥା ସ୍ତମ୍ଭକାର ତପନ କୁମାର ମିଶ୍ର ଯୋଗଦେଇ କହିଲେ, ସ୍ବାଧୀନତା ସଂଗ୍ରାମରେ ଓଡ଼ିଶା ମୁଖ୍ୟତଃ ୫ଟି ପର୍ଯ୍ୟାୟରେ ଗତି କରିଥିଲା। ପ୍ରଥମ ପର୍ଯ୍ୟାୟରେ ଜୟୀ ରାଜଗୁରୁ, ଦ୍ୱିତୀୟ ପର୍ଯ୍ୟାରେ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ, ତୃତୀୟ ପର୍ଯ୍ୟାୟ ସିପାହି ବିଦ୍ରୋହ ଓ ଚନ୍ଦନ ହଜୁରୀଙ୍କ ଅବଦାନ, ଚତୁର୍ଥରେ କେନ୍ଦୁଝର ଭୂୟାଁ ମେଳି ଏବଂ ପଞ୍ଚମରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସଂଗ୍ରାମ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ସ୍ବାଧୀନତା ସଂଗ୍ରାମ ଓଡ଼ିଶାରେ ଅଧିକ ଲୋକାଭିମୁଖୀ ହୋଇଥିଲା ବୋଲି ସେ କହିଛନ୍ତି। ବକ୍ତାଭାବେ ମହାରାଷ୍ଟ୍ରର ସହାୟକ ପ୍ରଫେସର ବାବା ସାହେବ ନାମଲେ ମହାରାଷ୍ଟ୍ରରେ ଇଷ୍ଟଇଣ୍ଡିଆ କମ୍ପାନୀ ବିରୋଧରେ ଆଦିବାସୀଙ୍କ ଦାରା ପ୍ରଥମ ବିଦ୍ରୋହ ହୋଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ ସଂଗ୍ରାମ ନରମପନ୍ଥୀ, ଚରମପନ୍ଥୀ, ବିପ୍ଳବୀ ଓ ଗାନ୍ଧୀଙ୍କ ନେତୃତ୍ୱରେ ଆନ୍ଦୋଳନ ଆଗକୁ ବଢ଼ିଥିଲା ବୋଲି କହିଥିଲେ। ଭୁବନେଶର ପତ୍ର ସୂଚନା କାର୍ଯ୍ୟାଳୟ ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର କୁମାର ଚୌଧୁରୀ ଓ୍ବେବିନାରରେ ଅଧ୍ୟକ୍ଷତା କରି ଓଡ଼ିଶା ଓ ମହାରାଷ୍ଟ୍ର ମଧ୍ୟରେ ରହିଥିବା ଆନ୍ତଃ-ରାଜ୍ୟ ସମ୍ପର୍କ ଜାତୀୟ ବିକାଶରେ ସହାୟକ ବୋଲି କହିଥିଲେ।

Share