Categories: ଜାତୀୟ

ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ ୨୫% ବୃଦ୍ଧି

ନୂଆଦିଲ୍ଲୀ,୨।୪: ଚଳିତ ବର୍ଷ ମାର୍ଚ୍ଚରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସ୍ତରରେ ରହିଛି। ଏହି ମାସରେ ସାରା ଦେଶରେ ୧.୨୩ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଜିଏସ୍‌ଟି ଲାଗୁ ହେବା ପରେ ମାର୍ଚ୍ଚ ୨୦୨୧ରେ ସର୍ବାଧିକ ପରିମାଣର ଜିଏସ୍‌ଟି ସଂଗୃହୀତ ହୋଇଛି। ଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ସମାନ ମାସରେ ସଂଗ୍ରହ ୨୭% ଉର୍ଦ୍ଧ୍ୱରେ ରହିଛି। ଓଡିଶା କଥା ବିଚାରକୁ ନେଲେ ପରୋକ୍ଷ ଟିକସ ଆଦାୟରେ ୨୫% ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ବର୍ଷ ମାର୍ଚ୍ଚରେ ଏହି ରାଜ୍ୟରେ ୨୬୩୨.୮୮ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ସମାନ ମାସରେ ଏହା ୩୨୮୫.୨୯ କୋଟି ଟଙ୍କାକୁ ବଢିଛି। ସାରା ଦେଶରେ ମାର୍ଚ୍ଚ ମାସରେ କେନ୍ଦ୍ର ଜିଏସ୍‌ଟି(ସିଜିଏସ୍‌ଟି) ଆଦାୟ ପରିମାଣ ୨୨,୯୭୩ କୋଟି ଟଙ୍କା ରହିଛି। ସେହିଭଳି ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ବାବଦ ୨୨,୩୨୯ କୋଟି ଟଙ୍କା ଏବଂ ସମନ୍ବିତ ଜିଏସ୍‌ଟି ୬୨,୮୪୨ କୋଟି ଟଙ୍କା ଏବଂ ସେସ୍‌ ବାବଦ ୮୭୫୭ କୋଟି ଟଙ୍କା ଏଥିରେ ସାମିଲ ରହିଛି।
ସରକାର ନିୟମିତ ପରିଶୋଧ (ସେଟେଲମେଣ୍ଟ) ଆକାରରେ ସିଜିଏସ୍‌ଟିରୁ ୨୧,୮୯୭ କୋଟି ଟଙ୍କା ଏବଂ ଆଇଜିଏସ୍‌ଟିରୁ ଏସଜିଏସ୍‌ଟି ଆକାରରେ ୧୭,୨୩୦ କୋଟି ପରିଶୋଧ କରିଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରେ ୫୦:୫୦ ହାରରେ ଆଇଜିଏସ୍‌ଟି ପରିଶୋଧ ଆକାରରେ କେନ୍ଦ୍ର ସରକାର ୨୮ ହଜାର କୋଟି ଟଙ୍କା ପ୍ରଦାନ କରିଥିବା ଜଣାପଡିଛି। ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସଂଗୃହୀତ ମୋଟ ଟିକସ ପରିମାଣ ଜିଏସ୍‌ଟି ୫୮,୮୫୨ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ୬୦,୫୫୯ କୋଟି ଟଙ୍କା ରହିଛି। ମାର୍ଚ୍ଚ ୨୦୨୧ରେ କେନ୍ଦ୍ର ସରକାର ୩୦ ହଜାର କୋଟି ଟଙ୍କାର କ୍ଷତିପୂରଣ ରାଜ୍ୟଗୁଡିକ ଦେଇଛନ୍ତି। ସେହିଭଳି ସାମଗ୍ରୀ ଆମଦାନୀ ଉପରେ ମିଳୁଥିବା ରାଜସ୍ବ ପରିମାଣରେ ୭୦% ବୃଦ୍ଧି ହୋଇଛି। ଗତ ୬ ମାସ ହେବ ସାରା ଦେଶରେ ଜିଏସ୍‌ଟି ଆଦାୟ ପରିମାଣ ୧ ଲକ୍ଷ କୋଟି ଟଙ୍କା ଟପୁଛି। ମହାମାରୀ ପରେ ଏହା ଆର୍ଥତ୍କ ସୁଧାରର ସଙ୍କେତ ଦେଉଛି। ନକଲି ବିଲିଂ ଉପରେ ସତର୍କ ଦୃଷ୍ଟି, ଜିଏସ୍‌ଟି, ଆୟକର, ସୀମା ଶୁଳ୍କ ଆଇଟି ବ୍ୟବସ୍ଥା ବିଭିନ୍ନ ଉତ୍ସରୁ ତଥ୍ୟର ବିଶ୍ଲେଷଣ ଓ ପ୍ରଭାବୀ ଟିକସ ପ୍ରଶାସନ ଯୋଗୁ ଜିଏସ୍‌ଟି ସଂଗ୍ରହ ନିୟମିତ ବୃଦ୍ଧି ହେଉଥିବା ସରକାରଙ୍କ ପକ୍ଷରୁ ସୂଚନା ରହିଛି।

Share