Categories: ଜାତୀୟ

ପୁଲଓ୍ବାମା ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ, ଜଣେ ଆତଙ୍କବାଦୀ ନିହତ

ପୁଲଓ୍ବାମା,୭।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୁଲଓ୍ବାମା ଗୁସୁ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ୧୮୩ ବାଟାଲିୟନ ସିଆର୍‌ପିଏଫ୍‌, ରାଷ୍ଟ୍ରୀୟ ରାଇଫଲ୍ସ ସେନା ଓ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଉଦ୍ୟମରେ ଉକ୍ତ ଗାଁକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ସେହି ସମୟରେ ଆତଙ୍କବାଦୀମାନେ ଭୟଭୀତ ହୋଇ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଳାଇଥିଲେ। ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଜଣେ ଯବାନ ଓ ପୋଲିସକର୍ମଚାରୀ ଆହତ ହୋଇଛନ୍ତି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ଟୁଇଟ କରି ସୂଚନା ଦେଇଛନ୍ତି। ଏବେ ବି ଘଟଣାସ୍ଥଳରେ ଗୁଳିବିନିମୟ ଜାରି ରହିଛି।

Share