ଦୁର୍ଗମ ଅଞ୍ଚଳରେ ସୌରଶକ୍ତିରେ ଜଳସେଚନ

ଭୁବନେଶ୍ୱର,୧୧।୫(ବ୍ୟୁରୋ): କମାଣ୍ଡ ଏରିଆରେ ଜଳସେଚନ ପରିଚାଳନା, ବିଜୁ କୃଷକ ବିକାଶ ଯୋଜନାରେ ସୌରଶକ୍ତି ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ଗଭୀର ନଳକୂପ ସାହାଯ୍ୟରେ ଜଳସେଚନ କରାଯିବ। ଜଳସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ଓଡ଼ିଶା ନର୍ସିଂ କଲେଜ ଶିକ୍ଷା ସେବାରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀକୁ ଅନୁମୋଦନ କରାଯାଇଛି। ପୁରୁଷ ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ, ଏବଂ ରାଉରକେଲାର ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କ୍ରୀଡ଼ା ଭିତ୍ତିଭୂମି ପାଇଁ ଡକାଯାଇଥିବା ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ମେଡିକାଲ ଅକ୍ସିଜେନ ଉତ୍ପାଦନ, ରିଫିଲିଂର ପ୍ରତିକୂଳ ସଂଶୋଧନ କରାଯିବ। ଏଥିସହିତ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ପରିବହନ ଟ୍ରାଫିକ୍‌ ଆଣ୍ଡ ଏନ୍‌ଫୋର୍ସମେଣ୍ଟ ରୁଲ୍‌ସ-୨୦୧୩ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ସେହିପରି ଜଙ୍ଗଲ ଓ ପରିବେଶ ବିଭାଗ ନାମ ପରିବର୍ତ୍ତନ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପରିବର୍ତ୍ତେ ଏଣିକି ଏହା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଭାବେ ନାମିତ କରାଯିବ। ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏଥିସହିତ ଓଡ଼ିଶା ଏକ୍ସସର୍ଭିସମେନ (ରିକ୍ର୍ୟୁଟମେଣ୍ଟ ଟୁ ଷ୍ଟେଟ୍‌ ସିଭିଲ ସର୍ଭିସେସ ଆଣ୍ଡ ପୋଷ୍ଟସ୍‌) ରୁଲ୍ସ ସଂଶୋଧନ, ଓଡ଼ିଶା ପବ୍ଲିକ ସର୍ଭିସ କମିଶନଙ୍କ ୨୦୧୭-୧୮ର ବାର୍ଷିକ ରିପୋର୍ଟ, ରାଜ୍ୟ ବାହାରେ ଥିବା ଗୃହ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ବିଭିନ୍ନ ଓଡ଼ିଶା ଭବନଗୁଡ଼ିକରେ ରହିବା ଓ ଅନ୍ୟାନ୍ୟ ସେବା ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ ହେବ। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।

Share