ସମୁଦ୍ରରେ ଇଲିଶି ତଲାସି

ଭୋଗରଇ, ୨୦।୮(ଡି.ଏନ.ଏ.)-ଶ୍ରାବଣ ଶେଷ ହୋଇ ଭାଦ୍ରବ ହେଲାଣି। ତଥାପି ଜାଲରେ ଧରାପଡୁନି ଆଶାନୁରୂପ ଇଲିଶି। ମୌସୁମୀର ଅନିୟମିତତା ଯୋଗୁ ଚଳିତବର୍ଷ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀମାନେ ଆଶା ଆଶଙ୍କାରେ ରହିଛନ୍ତି। ତଥାପି ମତ୍ସ୍ୟଜୀବୀମାନେ ଆଶା ଛାଡ଼ିନାହାନ୍ତି। ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର, କଷାଫଳ ସହିତ ସମୁଦ୍ରକୂଳିଆ ଜିଲା ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସହସ୍ରାଧିକ ମାଛଧରା ଟ୍ରଲର ଏବେ ସମୁଦ୍ରମୁହାଁ। ଝଡ଼ବର୍ଷାକୁ ଖାତିର ନ କରି ଜୀବନକୁ ବାଜି ଲଗାଇ ମତ୍ସ୍ୟଜୀବୀମାନେ ଟ୍ରଲର ସାହାଯ୍ୟରେ ଗଭୀର ସମୁଦ୍ରରେ ଜାଲ ବିଛାଇ ଇଲିଶି ସନ୍ଧାନରେ ଅଛନ୍ତି।
ମୌସୁମୀ ଆଗମନରେ ମ୍ୟାନମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଇଲିଶି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନଦୀ ସଙ୍ଗମସ୍ଥଳରେ ମଧୁର ଜଳ ପାନ କରିବା ସହିତ ଯାଆଁଳ ଛାଡ଼ିବାକୁ ଆସିଥାନ୍ତି। ଏହି ସୁଯୋଗରେ ମାଛଧରା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ଜାଲ ବିଛାଇ ପ୍ରଚୁର ଇଲିଶି ଧରିଥାନ୍ତି। ଚଳିତବର୍ଷ ମୌସୁମୀ ବର୍ଷା ଓ ପାଗ ଅନୁକୂଳ ନ ଥିବାରୁ ଇଲିଶି ସମୁଦ୍ରରେ ଲୁଚକାଳି ଖେଳୁଛନ୍ତି। ଆଶାନୁରୂପ ଇଲିଶି ଜାଲରେ ଧରାଦେଉ ନ ଥିବାରୁ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ଆସୁଥିବା ଇଲିଶିର ଦାମ୍‌ ବଜାରରେ ଚଢ଼ା ରହୁଛି। ହାଟବଜାରରେ ୫ଶହ ଗ୍ରାମ ଇଲିଶିକୁ କେଜି ପ୍ରତି ୬ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋ ଓଜନର ଇଲିଶି ଏକ ହଜାରରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଛି।