Categories: ଜାତୀୟ

କ୍ୟାବ୍‌ ଡ୍ରାଇଭରଙ୍କୁ ୨୨ ଥର ଚାପୁଡ଼ା: ଯୁବତୀ କହିଲେ ‘ଆତ୍ମସୁରକ୍ଷା ପାଇଁ ମାରିଛି’

ଲକ୍ଷ୍ନୌ,୫।୮: ଯୁକ୍ତିତର୍କ ପରେ କ୍ୟାବ ଡ୍ରାଇଭରଙ୍କୁ ୨୨ ଥର ଚାପୁଡ଼ା ମାରିଥିବା ଯୁବତୀଙ୍କୁ ଏବେ ମଧ୍ୟ ଗିରଫ କରିନାହିଁ ଲକ୍ଷ୍ନୌ ପୋଲିସ। ଯୁବତୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣି ରାସ୍ତା ଉପରେ ଟାକ୍ସି ଡ୍ରାଇଭର ସାଦତ ଅଲି ସିଦ୍ଦିକିଙ୍କୁ ପ୍ରିୟଦର୍ଶନୀ ନାରାୟଣ ଯାଦବ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ଏହାକୁ କେନ୍ଦ୍ର କରି ଦୁହେଁ ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ।

ଘଟଣାଟି ଗତ ଶୁକ୍ରବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ରାଜଧାନୀ କ୍ରିଷ୍ଣା ନଗର ଅଞ୍ଚଳରେ ଘଟିଥିଲା। ଟ୍ରାଫିକ୍‌ ସିସିଟିଭିରେ କଏଦ ହୋଇଥିଲା ପୂରା ଘଟଣା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଘଟଣା ସମ୍ପର୍କରେ ପଚରାଯିବାରୁ ଆତ୍ମସୁରକ୍ଷା ପାଇଁ ଡ୍ରାଇଭରଙ୍କୁ ମାଡ଼ ମାରିଥିବା କହିଛନ୍ତି କଥାକଥିତ ପୀଡ଼ିତା।

କମ୍‌ ମାଡ଼ ହୋଇଛି। ଆହୁରି ମାଡ଼ ଦରକାର ଥିଲା। ଯଦି ପୋଲିସ ତାଙ୍କ କାମ କରିଥାନ୍ତେ, ତେବେ ମୋତେ ଏଭଳି କରିବାକୁ ପଡ଼ି ନ ଥାନ୍ତା। ସେମାନେ ଗାଡ଼ି ବାଡ଼େଇ ଖସିଯିବେ। ନିଜକୁ ବଞ୍ଚାଇବାକୁ ଉଦ୍ୟମ ମଧ୍ୟ କରିବି ନାହିଁ। ଆମ ଜୀବନ କ’ଣ ଏତେ ଶସ୍ତା। ପୋଲିସର କାମ କ’ଣ ବ୍ୟବଚ୍ଛେଦ କରି ଘରକୁ ମୃତଦେହ ପଠାଇବା ବୋଲି ଏକ ସାକ୍ଷାତ୍‌କାରରେ ପ୍ରିୟଙ୍କା କହିଛନ୍ତି।

ଅନ୍ୟପକ୍ଷେ ଘଟଣା ପରେ ସିଦ୍ଦିକିଙ୍କୁ ୨୮ ଘଣ୍ଟା ଧରି ଜେଲରେ ରହିବାକୁ ପଡ଼ିଥିଲା। ତାଙ୍କୁ ଦେଖା କରିବାକୁ ଯାଇଥିବା ବଡ଼ ଭାଇଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଥିବା ସିଦ୍ଦିକି ଅଭିଯୋଗ କରିଛନ୍ତି। ଯୁବତୀଙ୍କୁ କାହିଁକି ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

Share