ସିନ୍ଧ୍‌ ପ୍ରଦେଶରେ ମନ୍ଦିରର ଅଞ୍ଚଳରେ ୪୦୦ ସୁରକ୍ଷାକର୍ମୀ ମୁତୟନ, ସ୍ଥିତି ଉପରେ କଡ଼ା ନଜର…

ଇସଲାମାବାଦ,୧୯।୭ : ପାକିସ୍ତାନର ସିନ୍ଧ୍‌ ପ୍ରଦେଶର ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜାକୁ ଦୃଷ୍ଟିରେ ରଖି ପୋଲିସ୍‌ ବିଭାଗ ପକ୍ଷରୁ ୪୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ସପ୍ତାହରେ ଏକ ହିନ୍ଦୁ ମନ୍ଦିରକୁ ରକେଟ ଲଞ୍ଚର୍‌ ରେ ଆକ୍ରମଣ କରାଯିବା ପରେ ଏବଂ ଅନ୍ୟକୁ ବୁଲଡୋଜରରେ ଭଙ୍ଗାଯିବା ପରେ ପ୍ରଦେଶର ମନ୍ଦିରଗୁଡିକରେ କଡ଼ା ସୁରକ୍ଷା ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆତଙ୍କବାଦୀମାନେ ରକେଟ ଲଞ୍ଚର୍‌ ସହିତ ଆକ୍ରମଣ କରିଥିଲେ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୋଲିସ କର୍ମଚାରୀଙ୍କୁ ଦୁଇମାସ ପାଇଁ ଏହି କାର୍ଯ୍ୟ ଦିଆଯାଉଛି। ସିନ୍ଧ ଆଇଜିପି ମେମନ ହିନ୍ଦୁମାନଙ୍କୁ ସେମାନଙ୍କ ମନ୍ଦିରରେ ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀଙ୍କ ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ପାକିସ୍ତାନର ମାନବ ଅଧିକାର ଆୟୋଗ କହିଛନ୍ତି ସିନ୍ଧ୍‌ର କାଶ୍ମୋର ଏବଂ ଘୋଟକି ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେବାର ଖବର ନେଇ ଆମେ ଚିନ୍ତିତ। ମହିଳା ଏବଂ ଶିଶୁଙ୍କ ସମେତ ପ୍ରାୟ ୩୦ ହିନ୍ଦୁଙ୍କୁ ବନ୍ଧକ କରାଯାଇଛି। ଶାନ୍ତିରେ ରହୁଥିବା ଲୋକଙ୍କ କ୍ଷତି ନ କରିବାକୁ ସିନ୍ଧ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଜିଆନଚାନ୍ଦ ଏସାରାନୀ ନିବେଦନ କରିଛନ୍ତି। ଏମକ୍ୟୁଏମ୍‌-ପି ବିଧାୟକ ମଙ୍ଗଲ ଶର୍ମା କହିଛନ୍ତି ରକେଟ ସାହାଯ୍ୟରେ ମନ୍ଦିର ଭାଙ୍ଗିବା ଘଟଣା ପରେ ହିନ୍ଦୁ ସମ୍ପ୍ରଦାୟରେ ଭୟର ବାତାବରଣ ରହିଛି।

Share