କୋଟିଆକୁ ନେଇ ଥମୁନି କାଦୁଅ ଫିଙ୍ଗା

ଭୁବନେଶ୍ୱର, ୧୭ା୨(ବ୍ୟୁରୋ): କୋରାପୁଟର କୋଟିଆ ସମେତ ଓଡ଼ିଶାର କେତେକ ସୀମାନ୍ତ ଜିଲାରେ ଆନ୍ଧ୍ର ସରକାର ନିର୍ବାଚନ କରାଇବା ପ୍ରସଙ୍ଗରେ ଆରୋପ ପ୍ରତ୍ୟାରୋପ ଥମିବାର ନଁା ଧରୁନି। ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାବେଳେ ୧୯ ତାରିଖରେ ମାମଲାର ଶୁଣାଣି ଅଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ପ୍ରଶାସନ ଏବଂ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ। ସେହିପରି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଦୁର୍ବଳ ନେତୃତ୍ୱ ଯୋଗୁ ଆନ୍ଧ୍ର ସରକାର ରାଜ୍ୟରେ ପଶି ନିର୍ବାଚନ କଲା। ଏହାର ଅର୍ଥ ଗୋଟିଏ ରାଜ୍ୟ ଭିତରେ ଦୁଇଟି ଶାସନ। ଏହାକୁ କେହି ବରଦାସ୍ତ କରିବେ ନାହିଁ। ଓଡ଼ିଶାକୁ ସବୁଆଡୁ ଲୁଟ୍‌ କରାଗଲାଣି। ଛତିଶଗଡ଼ ପାଣି, ପଶ୍ଚିମବଙ୍ଗ ବାଲି ଚୋରି କରୁଛି। ମହାନଦୀ ପାଣି ନେଇ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ନେତୃତ୍ୱରେ ଦୁଇଟି କମିଟି ହେଲା। ଏ ଯାଏ ଥରେ ହେଲେ ବୈଠକ ବସିଲାନି। ରାଜ୍ୟରେ ଅପାରଗ ଏବଂ ଦୁର୍ବଳ ସରକାର ଚାଲିଥିବା ନରସିଂହ କ୍ଷୋଭବ୍ୟକ୍ତ କରି କହିଛନ୍ତି।
ବିଜେଡି ବିଧାୟକ ସୌମ୍ୟରଞ୍ଜନ କହିଛନ୍ତି, ପ୍ରଶାସନିକସ୍ତରରେ ନିଶ୍ଚିତ ଭାବେ ଅବହେଳା ହୋଇଛି। ଏକଥାକୁ ଅସ୍ବୀକାର କରିହେବ ନାହିଁ। ଯେଉଁ ଦଳରେ ରହିବି ସେଠାରେ ଯେ ସବୁକିଛି ଠିକ୍‌ ଚାଲିଛି ତାହା କହିବି, ସେଭଳି ଅଭ୍ୟାସ ନାହିଁ। ଅନେକ ରାଜ୍ୟ ଭିତରେ ସୀମା ବିବାଦ ଲାଗି ରହିଛି। ବହୁ ପ୍ରସଙ୍ଗରେ ପାର୍ଟି ନୁହେଁ, ମାଟି ବଡ଼ ବୋଲି ସେ କହିଛନ୍ତି।
ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାରେ ପଶି ଆନ୍ଧ୍ର ନିର୍ବାଚନ କରି ଚାଲିଗଲା। ଶାସକ ସରକାର ଶୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଭା ସଫଳ କରିବାରେ ବିଜେଡି ଲାଗିଛି। ଶାସକ ଦଳର କୌଣସି ନେତା ଘଟଣାସ୍ଥଳକୁ ବୁଲିବାକୁ ଗଲେନାହିଁ। ପ୍ରଶାସନିକ ଅଧିକାରୀ ଯାଇଥିଲେ ଏଭଳି ନିର୍ବାଚନ ହୋଇ ନ ଥାନ୍ତା। ଏହି ସମସ୍ୟା ବହୁ ପୁରୁଣା। ସମ୍ପୃକ୍ତ ଅଞ୍ଚଳବାସୀ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଲାଗି ଆନ୍ଧ୍ର ଉପରେ ନିର୍ଭରଶୀଳ। ମାଟି ପାଇଁ ଲଢ଼େଇରେ ଆମେ ଅଛୁ, ହେଲେ ବିଜେଡି ନାହିଁ। ଓଡ଼ିଶା ସ୍ବାର୍ଥକୁ ନ ଦେଖି ବିଜେଡି, କଂଗ୍ରେସ ରାଜନୀତି କରୁଥିବା ସେ କହିଛନ୍ତି।

Share