Categories: ଖେଳ

ଶ୍ରୀଲଙ୍କାରେ ଭାରତ ୩ ଦିନିକିଆ, ଟି୨୦ ଖେଳିବ

ନୂଆଦିଲ୍ଲୀ, ୧୧।୫-
ଶ୍ରୀଲଙ୍କାରେ ଭାରତୀୟ କ୍ରିକେଟ ଦଳ ଆସନ୍ତା ଜୁଲାଇରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ କ୍ରିକେଟ ମ୍ୟାଚ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି। ତେବେ ଶୀର୍ଷସ୍ଥାନୀୟ ଖେଳାଳିମାନେ ସେତେବେଳେ ୟୁକେରେ ଥିବାରୁ ଏକ ଦ୍ୱିତୀୟ ଶ୍ରେଣୀୟ ଭାରତୀୟ ଦଳ ଶ୍ରୀଲଙ୍କା ଯିବ। ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁସାରେ ୩ଟି ଦିନିକିଆ ଜୁଲାଇ ୧୩, ୧୬, ୧୯ ଏବଂ ୩ଟି ଟି୨୦ ଜୁଲାଇ ୨୨, ୨୪ ଓ ୨୭ ତାରିଖରେ ଅନୁଷ୍ଠିତ ହେବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବ। ଏହାପରେ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ମଝିରେ ଏକମାସର ବ୍ୟବଧାନ ଥିଲେ ହେଁ କ୍ୱାରାଣ୍ଟାଇନ୍‌ ନିୟମ ଦୃଷ୍ଟିରୁ ଭାରତୀୟ ଦଳ ସେହି ବଳୟ ମଧ୍ୟରେ ହିଁ ରହିବ।
ପ୍ରାରମ୍ଭିକ ପ୍ରସ୍ତୁତି ଅନୁସାରେ ଭାରତୀୟ ଦ୍ୱିତୀୟ ଶ୍ରେଣୀୟ ଦଳ ଜୁଲାଇ ୫ରେ ଶ୍ରୀଲଙ୍କାରେ ପହଞ୍ଚତ୍ବ ଏବଂ ୨୮ରେ ଶ୍ରୀଲଙ୍କା ଛାଡ଼ିବ। ସେଠାରେ ଭାରତୀୟ ଦଳ ଏକସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବ। ଏହାକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ୩ ଦିନ କଡ଼ା ନିୟମ ମଧ୍ୟରେ ଦଳକୁ କେବଳ ହୋଟେଲ ରୁମ୍‌ ମଧ୍ୟରେ କଟାଇବାକୁ ହେବ। ପରବର୍ତ୍ତୀ ୪ ଦିନ ହୋଟେଲ ଏବଂ ଗ୍ରାଉଣ୍ଡରେ ଟ୍ରେନିଂ କରିପାରିବେ। ବିନା ଦର୍ଶକରେ ଏହି ସିରିଜ ଅନୁଷ୍ଠିତ ହେବ। କେଉଁ ଗ୍ରାଉଣ୍ଡରେ ମ୍ୟାଚଗୁଡ଼ିକ ଖେଳାଯିବ ତାହା ସ୍ପଷ୍ଟ କରାଯାଇନାହିଁ। ୨୦୧୮ ନିଦାହାସ ଟ୍ରଫି ପରେ ଭାରତୀୟ ଦଳ ଆଉ ଶ୍ରୀଲଙ୍କା ଗସ୍ତ କରିନାହିଁ। କୋହଲିଙ୍କ ସମେତ ରୋହିତ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ଲୋକେଶ ରାହୁଲଙ୍କ ପରି ସିନିୟର ଖେଳାଳି ସେତେବେଳେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ୟୁକେରେ ଥିବେ। ତେଣୁ ଶ୍ରୀଲଙ୍କା ଗସ୍ତ ପାଇଁ ଶିଖର ଧାଓ୍ବନ, ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମ୍‌ସନ, ପୃଥ୍ବୀ ଶ’, ଦୀପକ ଚହର, ରାହୁଲ ଚହର, ଜୟଦେବ ଉନାଡକଟ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଟଓ୍ବୋଟିଆଙ୍କ ପରି ଖେଳାଳିଙ୍କ ଉପରେ ଚୟନକର୍ତ୍ତାଙ୍କ ଫୋକସ ରହିପାରେ।

Share