ବିଧାନସଭାରେ ବଡ଼ଭାଇ କେ.ଭି ସିଂଙ୍କୁଏହି ପ୍ରଶ୍ନ କଲେ ସାନଭାଇ କଳିକେଶ, ଉତ୍ତରରେ ବଡ଼ ଭାଇ କହିଲେ…

ଭୁବନେଶ୍ୱର,୨୮ା୮: ବିଧାନସଭାରେ ଆଜିର ପ୍ରଶ୍ନ ଉତ୍ତର ବେଶ୍‌ ଆଖିଦୃଶିଆ ତଥା ହାସ୍ୟରୋଳ ବି ଥିଲା। ବଡ଼ ଭାଇ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସାନ ଭାଇ କଳିକେଶ ଠିଆ ହୋଇ କିଛି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ରଖିଥିଲେ କେ.ଭି।

କଳିକେଶ ପଚାରିଥିଲେ ଉପମୁଖ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି ବଲାଙ୍ଗୀର ଜିଲାରେ କୃଷି ସହ ଫସଲ ଉତ୍ପାଦନ ବୃଦ୍ଧିରେ କେଉଁ କେଉଁ ସମସ୍ୟା ଅନ୍ତରାୟ ସୃଷ୍ଟି କରୁଛି। ସରକାର ଆକଳନ କରିଛନ୍ତି କି? ଯଦି ହଁ ତେବେ ଏହାର ପ୍ରତିକାର କରି ଜିଲାରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ କ’ଣ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।

ଏହାର ଉତ୍ତରରେ କେ.ଭି କହିଥିଲେ, ବଲାଙ୍ଗୀର ଜିଲା ବୃଷ୍ଟିପାତ ଅଳ୍ପ ଏବଂ ପ୍ରତ୍ୟେକ ବିକଳ୍ପ ବର୍ଷରେ ମରୁଡ଼ି ଏବଂ ବନ୍ୟା ପରିସ୍ଥିତି ଅନୁଭବ କରେ। ଯଦି ପର୍ଯ୍ୟାପ୍ତ ପରିମାଣର ବର୍ଷା ହୁଏ ତେବେ ସମସ୍ତ ଉତ୍ସରୁ ଜଳସେଚନ ସମ୍ଭାବନା ମାତ୍ର ୬୦ ପ୍ରତିଶତ ଅଟେ। ଚାଷଜମି ୩,୪୫,୪୭୫ ହେକ୍ଟର ମଧ୍ୟରୁ ୧୪୫୮୫.୧୦ ହେକ୍ଟର ଚାଷଜମିରେ ଅଣୁଜଳସେଚନର ସୁବିଧା ରହିଛି। ବଲାଙ୍ଗୀର କୃଷକମାନେ ଧାନଚାଷ ଆବଶ୍ୟକତା ଅନୁଯାୟୀ କ୍ରପ୍‌ କଣ୍ଟିଜ୍‌ନେଣ୍ଟ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ଜିଲାସ୍ତରରେ ମଧ୍ୟ ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରି ଆବଶ୍ୟକ ସ୍ଥଳେ କାର୍ଯ୍ୟକାରୀ କରାଯାଇଥାଏ। ପନିପରିବା ଓ ମସଲା ଜାତୀୟ ଫଲସର ବିହନର ସହଜ ଉପଲବ୍ଧି ପାଇଁ ବିଗତ ୩ ବର୍ଷ ମଧ୍ୟରେ ୧୬ଟି ବିହନ ଭଣ୍ଡାରକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ଏହାବ୍ୟତୀତ ସରକାରୀ କାର୍ଯ୍ୟକ୍ରମରେ ଚାଷ କରାଯାଉଥିବା ଆଳୁ, ପିଆଜ, ଧନିଆ, ଲଙ୍କା, ମେଥି, ଅଦା ଓ ଶଙ୍କର ଜାତୀୟ ପନିପରିବାର ବିହନ ସରକାରୀ ସଂସ୍ଥାର ଅଣାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି ବୋଲି ଉତ୍ତର ରଖିଥିଲେ।

Share