ବିଜେଡି-ଭାଜପାର ବୁଝାମଣା ଭିତରେ ଇଡି ଚଢ଼ାଉ କରିଛି: କଂଗ୍ରେସ

ଭୁବନେଶ୍ୱର,୧୬ା୨(ସୁନିତ୍‌ ମିଶ୍ର): ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିବା ଜଣାପଡ଼ିଛି। ଏହି କଥାକୁ କଂଗ୍ରେସ ପାଲଟା ଟାର୍ଗେଟ କରିଛି। ବିଜେଡି-ଭାଜପା ସହଭାଗିତାରେ ଏହି ଚଢ଼ାଉ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଭାଜପା କହିଛି ଦୁର୍ନୀତି ଲାଗି ଏହି ଚଢ଼ାଉ ହୋଇଛି।

ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡି ଭିତରେ ବିଦ୍ରୋହ ଆରମ୍ଭ ହୋଇଗଲାଣି। ତେଣୁ ବିଦ୍ରୋହୀଙ୍କୁ ନିୟନ୍ତ୍ରଣରେ ରଖିବା ଲାଗି ବିଜେଡି-ଭାଜପା ବୁଝାମଣା ଭିତରେ ଏହି ଇଡି ଚଢ଼ାଉ କରାଇଛନ୍ତି। ଗତ ଦୁଇଟି ନିର୍ବାଚନରେ ସେମାନଙ୍କ ଦଳର ନେତାମାନେ ବିଦ୍ରୋହ କରି ନ ଥିଲେ। ଏଥର ନେତାମାନେ ବିଦ୍ରୋହ ଆରମ୍ଭ କରିଛନ୍ତି। ଯେଉଁମାନେ ସେମାନଙ୍କ ଦଳରେ ଏବେ ବିଦ୍ରୋହ କରିବେ ବୋଲି ସେମାନେ ଆଶଙ୍କା କରୁଛନ୍ତି ତାଙ୍କ ବିରୋଧରେ ଇଡି, ସିବିଆଇ ଲଗାଇ ଡରେଇବେ। ଜଣେ ନେତାଙ୍କ ଘରେ ଇଡି ପୂରାଇଦେଲେ ଅନ୍ୟମାନେ ଆଉ ଦଳ ଛାଡ଼ି ଯିବେ ନାହିଁ ବୋଲି ଶରତ କହିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ନେତା ମୋହନ ଚରଣ ମାଝି କହିଛନ୍ତି, ଓଡ଼ିଶାରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହେଉଛି। ଇଡି ଯଥା ସମୟରେ ତା’ର କାମ କରିବ ବୋଲି କୁହାଯାଇଥିଲା। ଯେଉଁମାନେ ଦୁର୍ନୀତିଗ୍ରସ୍ତ ନେତା, ମନ୍ତ୍ରୀ, ବିଧାୟକ, ଅଫିସର ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଡି କେତେବେଳେ ପଛାଏ ନାହିଁ ବୋଲି ମୋହନ କହିଛନ୍ତି।

Share