Categories: ଜାତୀୟ

ରାଜଧାନୀରେ ମାସେ ପାଇଁ ସମାବେଶ ମନା

ନୂଆଦିଲ୍ଲୀ,୧୨ା୨: ରାଜଧାନୀ ଦିଲ୍ଲୀରେ ମାସେ ପର୍ଯ୍ୟନ୍ତ ସମାବେଶ ଉପରେ କଟକଣା ଲାଗୁ କରାଯାଇଛି। ଚାଷୀ ଆନ୍ଦୋଳକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ବଡ଼ ଧରଣର ସମାବେଶ ହୋଇପାରିବ ନାହିଁ। ମଙ୍ଗଳବାରଠାରୁ ଚାଷୀ ଆନ୍ଦୋଳନ କରାଯାଇଥାନ୍ତା। ଏହାକୁ ଦୃଷ୍ଟିରେ ରଖି ଏପରି କଟକଣା ଲାଗୁ କରାଯାଇଛି।ରାଜଧାନୀ ଭିତରକୁ ଟ୍ରାକ୍ଟର ପଶିବାକୁ ବାରଣ କରିଛନ୍ତି ଦିଲ୍ଲୀ କମିଶନର। ଏହି ଆନ୍ଦୋଳନରେ ୨୦ ହଜାରରୁ ଅଧିକ ଚାଷୀ ସାମିଲ ହୋଇଥାନ୍ତେ। ଏହା ପୂର୍ବରୁ କମିଶନର ଏପରି କଟକଣା ଜାରି କରିଛନ୍ତି।

ସୂଚନାଯୋଗ୍ୟ,୨୦୨୦ ସେପ୍ଟେମ୍ବର ୨୭ରେ କେନ୍ଦ୍ର ସରକାର ୩ଟି କୃଷି ଆଇନ ପ୍ରଣୟନ କରିଥିଲେ। ସେଗୁଡ଼ିକ ହେଲା କୃଷକଙ୍କ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ, କୃଷକ (ସଶକ୍ତୀକରଣ ଓ ପ୍ରୋତ୍ସାହନ) ମୂଲ୍ୟ ଆଶ୍ୱାସନା ଓ କୃଷି ସେବା ଚୁକ୍ତି ସମ୍ପର୍କିତ ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ)। ଏହାକୁ ନେଇ ସାରା ଦେଶର କୃଷକମାନେ ଆନ୍ଦୋଳନ କରିଥିଲେ।

ସୂଚନାଯୋଗ୍ୟ, କୃଷି ଆଇନରେ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ନ ଥିବା ଏବଂ ଖାଦ୍ୟଶସ୍ୟ ଦର ନିର୍ଦ୍ଧାରଣ ଉପରେ ବୃହତ୍‌ ଶିଳ୍ପଗୋଷ୍ଠୀଙ୍କ ଏକଚାଟିଆ ଅଧିକାର ରହିବା ଆଶଙ୍କା କରି ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ବର୍ଷେ ଧରି ଏହି ଆନ୍ଦୋଳନ ଚାଲିଥିଲା। ଶେଷରେ ୨୦୨୧ ନଭେମ୍ବର ୧୯ରେ ସରକାର କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ସେତେବେଳେ ସରକାର ଚାଷୀମାନଙ୍କୁ ଏମ୍‌ଏସ୍‌ପି ଆଇନ ଆଣିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏମ୍‌ଏସ୍‌ପି ଉପରେ ଅଦ୍ୟାବଧି କୌଣସି ଆଇନ ଅଣାଯାଇ ନ ଥିବାରୁ ପୁଣି ଥରେ ଦେଶରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି।

ପ୍ରଦେଶ, ହରିୟାଣା ଓ ପଞ୍ଜାବର କୃଷକମାନେ ଫେବୃଆରୀ ୧୩ରେ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦେଇଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଏବଂ କିଷାନ ମଜଦୁର ମୋର୍ଚ୍ଚା (କେଏମ୍‌ଏମ୍‌) ସମେତ ୨୬ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୬ରେ ‘ଭାରତ ବନ୍ଦ’ ପାଇଁ ମଧ୍ୟ ଡାକରା ଦିଆଯାଇଛି। ଏହି ୩ କୃଷିବହୁଳ ରାଜ୍ୟ ସମେତ ଦେଶର ବିଭିନ୍ନ ଭାଗରୁ ପ୍ରାୟ ୨୦୦ କୃଷକ ସଙ୍ଗଠନର ୨୦ ହଜାର ଚାଷୀ ଏମ୍‌ଏସ୍‌ପି ଆଇନ ଦାବିରେ ଦିଲ୍ଲୀରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଥିଲେ।

Share