ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ
“ଶୁଆ ପୋଷିବାକୁ ଚାହୁଁଛ ତ ଯୁବା ଶୁଆଟିଏ ଘରକୁ ଆଣ। ବୁଢ଼ା ଶୁଆଟିକୁ ପୋଷି ତାକୁ ‘ରାମ’ ନାମ ଘୋଷାଇଲେ ସେ ରାମ ନାମ ଆୟତ୍ତ କରିବା ପୂର୍ବରୁ ହୁଏତ ମରି ଯାଇପାରେ! କମ୍ ବୟସର ଶୁଆ ଶୀଘ୍ର ରାମ ନାମ ଧରିପାରିବ ଓ ସେଇ ନାମ ଘୋଷିବାକୁ ବେଶି ଦିନଯାଏ ବଞ୍ଚତ୍ ରହିପାରିବ।“ ବିଶ୍ୱ ଜନମାନସରେ ଆଧ୍ୟାମିତ୍କ ଜାଗରଣ ସୃଷ୍ଟି କରିବା ପାଇଁ ଯୁବଶକ୍ତିି ଉପରେ ଅଖଣ୍ଡ ବିଶ୍ୱାସ ସ୍ଥାପନ କରିଥିବା ସ୍ବାମୀ ବିବେକାନନ୍ଦଙ୍କ ମୁଖରୁ ଦିନେ ନିଃସୃତ ହୋଇଥିଲା ଏହି ସଂକେତଧର୍ମୀ ବାର୍ତ୍ତା। ବୟସର ବିଭିନ୍ନ ସୋପାନରେ ପାଦ ଥାପି ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଅଗ୍ରସର ହେଉଥିବା ପ୍ରତ୍ୟେକ ପ୍ରାଣୀଙ୍କ ପାଇଁ ଯୌବନ ହିଁ ସର୍ବଶ୍ରେଷ୍ଠ ସମୟ। ଏହି ବୟସରେ ନୂଆ କିଛି କରିବାର ସ୍ପୃହା ସୃଷ୍ଟି ହୁଏ ମନରେ। ବିଶ୍ୱାସ ବଢ଼ିଯାଏ। ଆପଣାର ନିଷ୍ଠା ଓ ଅଙ୍ଗୀକାରକୁ ନେଇ ଆଗେଇଯିବା ମଧ୍ୟରେ ଅନ୍ତରରେ ଜନ୍ମନିଏ ଅସମ୍ଭବକୁ ସମ୍ଭବ କରିବାର ଦୁର୍ବାର ଆମତ୍ପ୍ରତ୍ୟୟ। ଲକ୍ଷ୍ୟସ୍ଥଳରେ ନ ପହଞ୍ଚତ୍ବା ଯାଏ ଅବ୍ୟାହତ ରହିଥାଏ ଯାତ୍ରା। ସୁତରାଂ ଜୀବନର ବାଞ୍ଛିତ ସିଦ୍ଧିଲାଭ ପାଇଁ ଶୁକପକ୍ଷୀଙ୍କୁ ସନ୍ତକ କରି ସ୍ବାମୀଜୀଙ୍କର ଏହି ଯୌବନର ଜୟଗାନ।
ଅବଶ୍ୟ ଏ କଥା ସତ ଯେ, ଅରଣ୍ୟରେ ଏ ବୃକ୍ଷରୁ ସେ ବୃକ୍ଷକୁ ଉଡ଼ିବା ମଧ୍ୟରେ ଶୁଆମାନେ ରାମ ନାମ ଘୋଷି ନ ଥାଆନ୍ତି। ଶବରର ଅଠାକାଠିରେ ଧରାପଡ଼ି ପିଞ୍ଜରାବଦ୍ଧ ହେଲା ପରେ ସେମାନେ ବଜାରରେ ବିକ୍ରି ହୋଇ କ୍ରେତାର ଘରେ ପହଞ୍ଚତ୍ୟା’ନ୍ତି। କ୍ରେତାର ଚରିତ୍ର ଓ ସଂସ୍କାରରୁ ଶିକ୍ଷା ଲାଭ କରି ଶୁଆଟିଏ ରାମ ନାମ ଘୋଷିପାରେ, ପୁଣି ଅଶ୍ରାବ୍ୟ ଅପଶବ୍ଦ କହି ଗାଳି ବି ଦେଇପାରେ। ସମାନ ଜଙ୍ଗଲରେ ବିଚରଣ କରି ଏକା ବ୍ୟାଧ ହାତରେ ଧରା ପଡ଼ିଥିବା ଭିନ୍ନ ଭିନ୍ନ ଶୁଆ ଦୁଇଟି। ଅଥଚ ଭିନ୍ନ ଭିନ୍ନ କ୍ରେତାଙ୍କ ଦ୍ୱାରା କିଣା ହୋଇ ଭିନ୍ନ ପରିବେଶରେ ପରିପୋଷିତ ହେଉଥିଲା ବେଳେ ଜଣେ ପରମ ଆଗ୍ରହରେ ରାମ ନାମ ଘୋଷି ଚାଲେ ତ ଅନ୍ୟ ଜଣକର କଣ୍ଠରୁ ଅବିରତ ଭାସିଆସେ ଚରମ ଅସଭ୍ୟତାର ନିଦର୍ଶନ ଅଶ୍ଳୀଳ ଅପଶବ୍ଦ ସବୁ!
ପଞ୍ଜୁରି ଭିତରେ ଆବଦ୍ଧ ରହି ନିଜ ମୁନିବଙ୍କ ଭାଷା କହୁଥିବା ଶୁଆମାନଙ୍କ ପରି ଆମ ସମୟର ଯୁବକମାନଙ୍କ ଅବସ୍ଥା। ଯିଏ ଯେଉଁ ପରିବେଶରେ ରହିଲେ, ସେଇ ପରିବେଶର ଭାଷା ଓ ଭାବନାକୁ ଆପଣେଇ ଜୀବନଯାତ୍ରାରେ ଆଗେଇ ଚାଲିଲେ। ସାଧୁ ସଂସର୍ଗରେ ଆସୁଥିବା ଯୁବକମାନେ ନିଜ ଦୀପ୍ତିମାନ ଯୌବନର ଉଜ୍ଜ୍ୱଳ ଜ୍ୟୋତିକୁ ନେଇ ଚାରି ପାଖର ଦୁନିଆକୁ ଆଲୋକିତ କରୁଥିଲା ବେଳେ ଅସାଧୁ ସଙ୍ଗରେ ପ୍ରଭାବିତ ଉଦ୍ଦଣ୍ଡ ଯୁବାବର୍ଗ ସମାଜ ଉପରେ ଅଜାଡ଼ି ଦିଅନ୍ତି ଯାବତୀୟ ଅସତ୍ୟ ଅନାଚାରର ଅବାଞ୍ଛିତ ଅନ୍ଧକାର। ଆମ ସମୟର ଦୁର୍ଭାଗ୍ୟ, ସାମ୍ପ୍ରତିକ ଭୋଗବାଦୀ ସମାଜରେ ରାମ ନାମ ଘୋଷୁଥିବା ଶୁଆଙ୍କଠାରୁ ଗାଳି ଦେଉଥିବା ଶୁଆଙ୍କ ସଂଖ୍ୟା ବେଶି ହେବାରେ ଲାଗିଛି। ଠିକ୍ ସେମିତି, ନିଜ ନିଜର ଆଦର୍ଶ ଓ ଆଚରଣରେ ଆଲୋକର ଜୟଗାନ କରୁଥିବା ଯୁବକଙ୍କ ତୁଳନାରେ ଅନ୍ଧକାରରେ ଡୁବି ରହୁଥିବା ଯୁବକଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି।
ତଥାପି ବେଳେବେଳେ ଏମିତି କିଛି ବିରଳ ବ୍ୟତିକ୍ରମ ସଂଘଟିତ ହୁଏ, ଯାହା ଅନ୍ଧାରରେ ଅତିଷ୍ଠ ହୋଇ ପଡ଼ିଥିବା ସାଧାରଣ ଲୋକଙ୍କ ପାଇଁ ଆଶାର ଆଲୋକ ସଞ୍ଚାର କରେ। ଏମିତି ବ୍ୟତିକ୍ରମକୁ ସହଜରେ ବିଶ୍ୱାସ କରାଯାଇପାରେନା। ମନେହୁଏ, ଏହା ଯେମିତି ଏକ ଅସମ୍ଭବ ଦିବାସ୍ବପ୍ନ ଅବା ବିଭୁଙ୍କର ବରଦାନ। ଯୁଗ ଯୁଗ ଧରି ଅନ୍ଧାର ଭିତରେ ବୁଡ଼ି ରହିଥିବା ଇଲାକାରେ ଅଚାନକ ଅଭାବିତ ବତିଟିଏ ଜଳି ଉଠିଲେ ଅବା ଖଣ୍ଟ ସର୍ଦ୍ଦାରର ପାଳିତ ଶୁଆଟି ହଠାତ୍ ରାମ ନାମ ଉଚ୍ଚାରଣ କଲେ କେମିତି ହୁଅନ୍ତା କାହାର ଅନୁଭବ!
ଏମିତି ଏକ ଅବିଶ୍ୱସନୀୟ, ଅଥଚ ବାସ୍ତବ ଘଟଣାର ପ୍ରମାଣ ବହନ କରି କେବେ କେଜାଣି କାର୍ଯ୍ୟକ୍ରମଟିଏ ପ୍ରଦର୍ଶିତ ହୋଇଥିଲା ଦିଲ୍ଲୀ ଦୂରଦର୍ଶନରେ; ଏବେ କେଇଦିନ ତଳେ ତାହାର ପୁନଃ ପ୍ରସାରଣ ଏହି ଲେଖକର ଚିନ୍ତା ରାଜ୍ୟକୁ ଗଭୀର ଭାବେ ଆଲୋଡ଼ିତ କରିଥିଲା। ‘ପ୍ରତିଭା’ ଶୀର୍ଷକ ଏହି କାର୍ଯ୍ୟକ୍ରମଟିରେ ପ୍ରଦର୍ଶିତ ହୋଇଥିଲା ସେଇ ବିରଳ ପ୍ରତିଭାମାନଙ୍କ କଥା; ଯେଉଁମାନେ ସଭ୍ୟ, ଶିକ୍ଷିତ ବା ସମ୍ଭ୍ରାନ୍ତ ପିତାମାତାଙ୍କ ସନ୍ତାନ ଭାବେ ଜନ୍ମ ହେବାର ସୌଭାଗ୍ୟ ପାଇ ନ ଥିଲେ। ଅଭିଶପ୍ତ ଅଭାବର ପୃଷ୍ଠଭୂମିରେ ଭୂମିଷ୍ଠ ହୋଇ ଖଣ୍ଡିଏ ରୋଟି ପାଇଁ ଯେଉଁମାନେ ନିଜ ସୁକୁମାର ଶୈଶବ ସହ ସଂଗ୍ରାମ କରିଥିଲେ; ସହରତଳି ଅଞ୍ଚଳର ପୂତିଗନ୍ଧମୟ ବସ୍ତି ଭିତରେ ଅଶିକ୍ଷା ଓ ଯାବତୀୟ ଅସଭ୍ୟତା ମଧ୍ୟରେ ଯେଉଁମାନେ ନିଜ ଅଲକ୍ଷ୍ୟରେ ଯୁବକ ବନି ଯାଇଥିଲେ, ସେଇମାନେ ପୁଣି ଥିଲେ ଏତେ ପ୍ରତିଭାବାନ୍!
ଚଣ୍ଡୀଗଡ଼ର ଏକ ସହରତଳି ବସ୍ତିର ବାସିନ୍ଦା ଥିଲେ ବିଜୟ, ରମେଶ, ହରିଶ୍, କରଣ, ଧ୍ରୁବ, ହମିଦ୍ ଓ ଅବ୍ଦୁଲ। ସମସ୍ତଙ୍କ ବୟସ ଅଠରରୁ ପଚିଶ ମଧ୍ୟରେ। ବିଜୟ କାନ୍ଧରେ ମୋବାଇଲ ମୋଚିମୁଣି ଝୁଲାଇ ସହରର ରାଜପଥ ଧାରରେ ଜୋତା ପାଲିସ୍ କରୁଥିଲା। ରମେଶ ରାସ୍ତାକଡ଼ର କମାରଶାଳରେ ହାତୁଡ଼ି ପିଟୁଥିଲା। କରଣ ଥିଲା ଷ୍ଟେଶନର କୁଲି। ହମିଦ୍ ଓ ହରିଶ୍ ରିକ୍ସା ଟାଣୁଥିଲେ ତ ଧ୍ରୁବ ଓ ଅବ୍ଦୁଲ ଥିଲେ ଖବରକାଗଜ ହକର। ଦୈନନ୍ଦିନ ଜୀବନଚର୍ଯ୍ୟାର ଭିନ୍ନ ଭିନ୍ନ ପରିଚୟ ବାହାରେ ସେମାନେ ଥିଲେ ଗୋଟିଏ ଦଳର ସଦସ୍ୟ। ଦିନଯାକ ନିଜନିଜ ଧନ୍ଦା ବୃତ୍ତିରେ ବ୍ୟସ୍ତ ରହି ସନ୍ଧ୍ୟାରେ ନିଜ ଯତ୍କିଞ୍ଚତ୍ତ୍ ଉପାର୍ଜନକୁ ଟେକି ଦେଉଥିଲେ ମା’ବାପାଙ୍କ ହାତରେ ଓ ପରେ ପରେ ବସ୍ତିର ଏକ ବ୍ୟସ୍ତବହୁଳ ଛକରେ ଏକତ୍ରିତ ହୋଇ ପରିବେଷଣ କରୁଥିଲେ ପଥପ୍ରାନ୍ତ ନାଟକ। ନା ଦେହରେ, ନା ମୁହଁରେ ଥିଲା କର୍ମକ୍ଳାନ୍ତିର ଛାପ!
ନିଜ ଚାରିପଟରେ ଦର୍ଶକମାନଙ୍କର ଭିଡ଼ ଥାଉ କି ନ ଥାଉ, ସେଥିପ୍ରତି ଖାତିର ନ କରି ଏହି କଳାକାରମାନେ ପରିବେଷଣ କରୁଥିଲେ ନୂଆନୂଆ କିସମର ନାଟକ। କିଛି ରାମାୟଣ ବା ମହାଭାରତର ନାଟକ ପ୍ରଦର୍ଶିତ ହେଉ ନ ଥିଲା ଏମାନଙ୍କ ଅସଜ୍ଜିତ ନାଟ୍ୟମଣ୍ଡପରେ। ‘ଅଶିକ୍ଷାର ଅଭିଶାପ’, ‘ଭୟାନକ ଏଡ୍ସର କରୁଣ ପରିଣତି’, ‘ଡ୍ରଗ୍ସ ବା ମଦଗଞ୍ଜା ସେବନର ବିଷମୟ ପ୍ରଭାବ’ ତଥା ‘ବହୁକୁଟୁମ୍ବୀ ପରିବାରର ଜଞ୍ଜାଳ’ ଭଳି ସମାଜର ଜ୍ୱଳନ୍ତ ସମସ୍ୟାକୁ ନେଇ ବେଶ୍ ଜୀବନ୍ତ ହୋଇ ଉଠୁଥିଲା ଏହି ନବ ଯୁକମାନଙ୍କ ନବ୍ୟ ନାଟ୍ୟଚେତନା। ଶିକ୍ଷା, ସଭ୍ୟତା ଓ ଆଧୁନିକତାଠାରୁ ଯୋଜନ ଯୋଜନ ଦୂରରେ, ଅଥଚ ସେମାନଙ୍କ ସମାଜର ସବୁଠାରୁ ଉତ୍କଟ ସମସ୍ୟାର ସମାଧାନ ପାଇଁ ଏମାନଙ୍କର କି ପ୍ରାଣମୟ ପ୍ରଚେଷ୍ଟା! ତଥାକଥିତ ସଭ୍ୟ, ଶିକ୍ଷିତ ଓ ଆଧୁନିକ ଯୁବକ ଆଉ ଅଧିକ କ’ଣ କରନ୍ତେ କି!
ଏହି ନାଟ୍ୟ ଦଳର ପ୍ରଚ୍ଛଦପଟ ନାୟକଙ୍କ ନାମ ଥିଲା ଜୁଲ୍ଫିକର ଖଁା। ତିରିଶ ବର୍ଷର ଏହି ଉଚ୍ଚ ଶିକ୍ଷିତ ଯୁବକ ଜଣକ ଥିଲେ ନାଟ୍ୟଦଳର ନିର୍ଦ୍ଦେଶକ। ଅଶିକ୍ଷିତ ବସ୍ତି ଟୋକାଙ୍କ ନାଟ ଖେଳରେ ସେ କେମିତି ସାମିଲ ହେଲେ ବୋଲି ପ୍ରଶ୍ନ ହେଲାରୁ ବଡ଼ କରୁଣ କଣ୍ଠରେ ସେ ଉତ୍ତର ଦେଲେ, ”ସେମାନେ ନ ଥିଲେ ମୁଁ ହୁଏତ ଏତେବେଳକୁ ଏହି ଦୁନିଆରେ ନଥା’ନ୍ତି। ମାରାମତ୍କ ଡ୍ରଗ୍ସ ସେବନ କରି ମୃତ୍ୟୁ ଆଡ଼କୁ ଦ୍ରୁତ ଗତିରେ ଧାଉଁଥିଲା ବେଳେ ଥରେ ସେମାନଙ୍କ ନାଟକ ଦେଖି ମୁଁ ଗଭୀର ଭାବେ ପ୍ରଭାବିତ ହୋଇପଡ଼ିଲି। ସେମାନଙ୍କ ଜୀବନ୍ତ ଅଭିନୟ ମୋ ଆଖି ଆଗରେ ମୃତ୍ୟୁର ବୀଭତ୍ସ ରୂପ ତୋଳି ଧରିଲା। ଯେତେ କଷ୍ଟସାଧ୍ୟ ହେଲେ ବି ମୁଁ ମୋ ପ୍ରାଣନାଶୀ ବଦ୍ ଅଭ୍ୟାସ ଉପରେ ବିଜୟଲାଭ କଲି ଓ ମୋ ଭଳି ଅନ୍ୟ ଦିଗଭ୍ରଷ୍ଟମାନଙ୍କ ଗତି ରୋକିବା ପାଇଁ ସେମାନଙ୍କ ମହତ୍ ଲକ୍ଷ୍ୟର ଯାତ୍ରାରେ ନିଜକୁ ସାମିଲ କରିନେଲି।“
ବିଜୟ, ରମେଶ ଓ ହମିଦ୍ମାନଙ୍କର ଉତ୍ତର ଥିଲା ଆହୁରି ଅଭିନବ। ଅଭାବ ଅନଟନଭରା କଷ୍ଟକର ଜୀବନଯାତ୍ରା ମଧ୍ୟରେ ଯେଉଁଠି ଅନ୍ନଚିନ୍ତା ଚମତ୍କାର, ସେଠି ଏମିତି ପଥପ୍ରାନ୍ତ ନାଟକ କରିବାକୁ ସେମାନେ କେମିତି ପ୍ରରୋଚିତ ହେଲେ ବୋଲି ପ୍ରଶ୍ନ କରିବାରୁ ସେମାନେ ଉତ୍ତରଦେଲେ, ”ବସ୍ତି ଜୀବନର ସମୃଦ୍ଧି ହିଁ ଆମର ଏକମାତ୍ର କାମ୍ୟ। ଆମ ଉତ୍ତର ପିଢ଼ିର ବସ୍ତି ବାଳକମାନେ ଆମ ଭଳି ହୀନ ଜୀବନ ନ ଜିଇ, ଶିକ୍ଷା ସଭ୍ୟତା ଭିତରକୁ ପ୍ରବେଶ କରନ୍ତୁ, ଏଥିପାଇଁ ଆମର ଏ ଉଦ୍ୟମ। ଦିନଯାକ ନିଜନିଜ ଧନ୍ଦାରେ ବ୍ୟସ୍ତ ରହି ସନ୍ଧ୍ୟାବେଳକୁ ଆମେ ସମସ୍ତେ ଏହି ଷ୍ଟ୍ରିଟ୍ ଲାଇଟ୍ ତଳେ ଏକତ୍ରିତ ହେଉ ଓ ମୁହଁରେ ଶସ୍ତା ପାଉଡର ମାଖି ବିଭିନ୍ନ ଚରିତ୍ରରେ ଅଭିନୟ କରୁ। ଜୁଲ୍ଫିକର ଭାଇ ଲେଖିଥିବା ସଂଳାପ କହି ଆମେ ମଦଗଞ୍ଜା ସେବନ ବା ବହୁ ପିଲା ଜନ୍ମ ବିରୋଧରେ ସଚେତନତା ସୃଷ୍ଟି କରୁ। ଏଥିପାଇଁ ବସ୍ତିର ମୁରବିଙ୍କଠୁ ଆରମ୍ଭ କରି ଆମ ମା’ବାପାଙ୍କ ଯାଏ, ସଭିଏ ଆମକୁ ‘ନାଲାୟକ’, ‘କାମଚୋର’ ବା ‘କୁଳାଙ୍ଗାର’ କହି ଢେର ଗାଳି ଦିଅନ୍ତି। ତଥାପି ଆମେ ଆଗେଇ ଚାଲିଛୁ। ଆମ ବସ୍ତିର କେହି ପିଲା ଆଗକୁ ତୁମ ଭଳି ‘ବାବୁ’ ହୋଇପାରିଲେ ଏଇ ବସ୍ତିର ଚେହେରା ବଦଳିଯିବ ଓ ଆମ ଶ୍ରମ ସାର୍ଥକ ହେବ।“ କାର୍ଯ୍ୟକ୍ରମର ପ୍ରଶ୍ନକର୍ତ୍ତାଙ୍କ ପାଇଁ ଏହି ଉତ୍ତର ଥିଲା ଯେମିତି ଅଭିନବ, ସେମିତି ଅଭୂତପୂର୍ବ।
ସେମାନଙ୍କର ଏହି ଉତ୍ତର ଆମ ରାଜଧାନୀରେ ଗଢ଼ି ଉଠିଥିବା ସଂଖ୍ୟାଧିକ ବସ୍ତିର ବାଟହୁଡ଼ା ତରୁଣଙ୍କ କାନରେ ପଡ଼ନ୍ତା ସିନା, ସେମାନେ ଜାଣନ୍ତେ କେମିତି ବସ୍ତି ମଧ୍ୟରୁ ବି ଗୁଞ୍ଜରିତ ହୋଇପାରେ ଏକ ନୂଆ ଜୀବନର ଆବାହନୀ ସଙ୍ଗୀତ! ଦେଖିବାକୁ ମିଳିପାରେ ରାକ୍ଷସପୁରୀରେ ବି ରାମ ନାମ ଜପିବାର ଅଖଣ୍ଡ ଆମତ୍ବିଶ୍ୱାସ! ପରିତ୍ୟକ୍ତ ପଙ୍କ ପୋଖରୀରେ ଫୁଟିଥିବା ପଦ୍ମର ମହକ ଯେ ସଂଭ୍ରାନ୍ତ ଉଦ୍ୟାନର ସୁଗନ୍ଧିତ ଗୋଲାପର ମହକଠାରୁ କୌଣସି ଗୁଣରେ କମ୍ ନୁହେଁ, ଏକଥା ଜଣାଇ ଦେଇଥିଲେ ବିଜୟ, ରମେଶ, ଧ୍ରୁବ ବା ଜୁଲ୍ଫିକରଙ୍କ ପରି ବିରଳ ବ୍ୟତିକ୍ରମମାନେ।
ଉପସଂହାରରେ ପୁଣି ସେଇ ବିଶ୍ୱବନ୍ଦିତ ବିବେକାନନ୍ଦଙ୍କ କଥା। ସ୍ବାମୀଜୀ ଏକଦା ଆହ୍ବାନ କରିଥିଲେ, ”ମୋତେ କିଛି ପବିତ୍ର ଓ ଅନାସକ୍ତ ଯୁବାତ୍ମା ଦିଅ, ମୁଁ ଏହି ପୃଥିବୀକୁ ଦୋହଲାଇ ଦେବି।“ ସେଇ ଯୁବାମତ୍ାମାନଙ୍କୁ ଚାହିଁ ଚାହିଁ ସ୍ବାମୀଜୀଙ୍କର ଆଖିତ୍ ବୁଜିଦେବା ଶହେ କୋଡ଼ିଏ ବର୍ଷ ପୂରିବାକୁ ଯାଉଛି। ଟେଲିଭିଜନର ପରଦା ଉପରେ ଚଣ୍ଡୀଗଡ଼ର ସେଇ ବସ୍ତି ଯୁବକମାନଙ୍କୁ ଦେଖିଲା ପରେ ସ୍ବାମୀଜୀଙ୍କର ଏହି କଥା ଦୁଇପଦ ସ୍ମୃତିକୁ ଆସୁଛି ଓ ଅନ୍ତର ଭିତରେ ବିଶ୍ୱାସଟିଏ ବଳବତ୍ତର ହେବାରେ ଲାଗିଛି। ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚତ୍ତ ସଡ଼କ କଡ଼ର ସନ୍ତାନମାନଙ୍କ ଚେତନାର ଧକ୍କା ମାଡ଼ରେ ଆଧୁନିକ ପୃଥିବୀ ଦୋହଲି ଉଠୁଥିବାର ବିଶ୍ୱାସ। ସ୍ବାର୍ଥସର୍ବସ୍ବ ସଂସାରର ବିଷାକ୍ତ ବଳୟ ବାହାରେ ନୂଆ ଏକ ଅମୃତମୟ ସୃଷ୍ଟି ମୁଣ୍ଡ ଟେକୁଥିବାର ବିଶ୍ୱାସ। ମୋବାଇଲର ବଟମ୍ ଭିତରେ ନିଜ ଦିବ୍ୟ ଯୌବନକୁ ବନ୍ଧା ପକାଇ ଯାବତୀୟ ନିଶାଭ୍ୟାସର ଶିକାର ହୋଇଥିବା ବହୁଭାଗ ଯୁବଶକ୍ତିଙ୍କୁ ଦେଖି ମନ ହତାଶାରେ ଭରି ଯାଉଥିଲାବେଳେ ଚଣ୍ଡୀଗଡ଼ର ଏହି ପଥପ୍ରାନ୍ତର ପ୍ରତିଭାମାନେ ଏକ ଆଶ୍ୱାସନା ହୋଇ ଉଭା ହେଉଛନ୍ତି। ଏମାନଙ୍କ ପାଇଁ ସମସ୍ତଙ୍କ ଅନ୍ତରରୁ ଆଶୀର୍ବାଦ ଅଜାଡ଼ିପଡୁ। ନୂଆ କିଛି ସର୍ଜନା କରିବାର ସ୍ବପ୍ନକୁ ନେଇ ଆଗେଇ ଯାଉଥିବା ସମାଜର ଏହି ପଛଧାଡ଼ିର ଯୁବକଙ୍କ ଯାତ୍ରା ସଫଳ ହେଉ।
-ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ-୮୮୯୫୬୨୪୧୦୫