Categories: ଜାତୀୟ

ପୋକ୍ସୋ ଯୌନ ଶୋଷଣ ମାମଲା ରୁଜୁ କ୍ଷେତ୍ରରେ ଏସିପିଙ୍କ ମଞ୍ଜୁରୀ ଜରୁରୀ …

ମୁମ୍ବାଇ, ୧୧।୬ : ପୋକ୍ସୋ ଅଧିନିୟମ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରିବା ପୂର୍ବରୁ ମୁମ୍ବାଇ ପୋଲିସ ସଂପୃକ୍ତ ଅତିରିକ୍ତ କମିଶନର୍‌ (ଏସିପି)ଙ୍କ ଅନୁମୋଦନ ଜରୁରୀ ବୋଲି ଲୋଡି ଏକ ନିର୍ଦ୍ଦେଶ ଜାରି କରିଛି। ଏହା ଉପରେ ମହାରାଷ୍ଟ୍ର ଭାଜପା ନେତା ଚିତ୍ରା ୱାଗ ପ୍ରଶ୍ନ ଉଠାଇ ଏହାକୁ ନିନ୍ଦା କରିଛନ୍ତି। ୱାଗ ଶନିବାର ପୁଣେରେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ଜୁନ ୬ ରେ ମୁମ୍ବାଇ ପୋଲିସ କମିଶନର ଏ ବାବଦରେ ଏକ ସର୍କୁଲାର ଜାରି କରିଛନ୍ତି।

ୱାଗ ପ୍ରଶ୍ନ କରିଛନ୍ତି ଯେ କମିଶନର୍‌ ଏପରି ନିର୍ଦ୍ଦେଶ ଦେଇପାରିବେ କି? ମୁମ୍ବାଇ ପୋଲିସର ସର୍କୁଲାରରେ ଦର୍ଶାଯାଇଛି ଯେ ଅଭିଯୋଗକାରୀଙ୍କ ପୁରୁଣା ଶତ୍ରୁତା କିମ୍ବା ସମ୍ପତ୍ତି ବିବାଦ ଇତ୍ୟାଦି କାରଣରୁ ପୋକ୍ସୋ ଅଧିନିୟମ ଅନୁଯାୟୀ ପଞ୍ଜିକରଣ କରାଯାଇଥାଏ। ଏଥିରେ ଦର୍ଶାଯାଇଛି ଯେ ବିନା ଯାଞ୍ଚରେ ଲୋକଙ୍କୁ ଗିରଫ କରାଯାଇଥାଏ ଏବଂ ପରେ ମୁକ୍ତ କରାଯାଇଥାଏ। ଏହା ଗିରଫ ବ୍ୟକ୍ତିଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥାଏ। ଏହି ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କୁ ଏଭଳି ମାମଲା ପଞ୍ଜିକରଣ କରିବା ପୂର୍ବରୁ ଏସିପିଙ୍କ ଅନୁମତି ନେବାକୁ ପଡିବ।

ଏହି ନିର୍ଦ୍ଦେଶରେ ଭାଜପା ନେତା ୱାଗ କହିଛନ୍ତି ଯେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ କରିଥିବା ଲୋକଙ୍କୁ ବଞ୍ଚାଇବାକୁ ମୁମ୍ବାଇ ପୋଲିସ ଚେଷ୍ଟା କରୁଛି କି? ଏହି ଆଦେଶ ପ୍ରତ୍ୟାହାର କରାଯିବା ଉଚିତ। ଏହି ସର୍କୁଲାର ବିଷୟରେ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଅବଗତ କି? ଏହା ବେଆଇନ ବୋଲି ସେ ଅଭିଯୋଗ କରିଛନ୍ତି।

Share