ଲିସ୍ବନ,୨୫।୮(ଏପି): ପିଏସ୍ଜିକୁ ଫାଇନାଲ ୧-୦ରେ ହରାଇବା ପରେ ବେୟର୍ନ ମ୍ୟୁନିକ୍ ପ୍ରଥମ ୟୁରୋପିଆନ ଟାଇଟଲ ଜିତିଛନ୍ତି। ଚଳିତ ସେସନ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ପୋଲାଣ୍ଡର ରବର୍ଟ ଲିଓ୍ବାଣ୍ଡୋସ୍କି ଫାଇନାଲ ମ୍ୟାଚ୍ରେ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ। ପ୍ରଥମଥର ପାଇଁ କୌଣସି ଚାମ୍ପିୟନ୍ସ ଲିଗ୍ ମ୍ୟାଚ୍ରେ ଲିଓ୍ବାଣ୍ଡୋସ୍କି ଗୋଲ ସ୍କୋର କରିବାରେ ବିଫଳ ହୋଇଛନ୍ତି। ୧୦ଟି ମ୍ୟାଚ୍ ଖେଳି ସେ ୧୫ଟି ଗୋଲ ସ୍କୋର କରି ଚମତ୍କାର ଫର୍ମରେ ରହିଥିଲେ। ଗୋଟିଏ ସେସନ୍ରେ ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ୧୭ ଗୋଲ ରେକର୍ଡଠାରୁ ଦୁଇପାଦ ଦୂରରେ ରହିଛନ୍ତି। ୨୦୧୩-୧୪ରେ ରୋନାଲ୍ଡୋ ଗୋଟିଏ ସେସନରେ ସର୍ବାଧିକ ୧୭ଟି ଗୋଲ ସ୍କୋର କରିଥିଲେ। ବେୟର୍ନ ସହିତ ସେ ୫୦ ଚାମ୍ପିୟନ୍ସ ଲିଗ୍ ଗୋଲ ସ୍କୋର କରିଛନ୍ତି। ମୋଟ ୯ଟି ସେସନରେ ସେ ୬୮ ଗୋଲ ସ୍କୋର କରିଛନ୍ତି। ସବୁ ପ୍ରତିଯୋଗିତା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ଏପର୍ଯ୍ୟନ୍ତ ୫୫ ଗୋଲ ସ୍କୋର କରିଛନ୍ତି। ତେବେ ସେ ରବିବାର ଫାଇନାଲରେ କୌଣସି ଗୋଲ ସ୍କୋର ନ କରିବା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସମ୍ପୂର୍ଣ୍ଣ ରୂପେ ଦଳଗତ ପ୍ରଦର୍ଶନ ସାବ୍ୟସ୍ତ ହୋଇଛି।