ପହିଲି ରଜରେ ଜମୁଛି ମଉଜ

ଅନୁଗୋଳ ଅଫିସ, ୧୪।୬ ପ୍ରତୀକ୍ଷାର ଘଟିଛି ପରିସମାପ୍ତି। ସଜବାଜ ପରେ ଆରମ୍ଭ ହୋଇଛି ରଜ ମଉଜ। ବିଭିନ୍ନ ସ୍ଥାନରେ ଲାଗିଛି ଭଳି କି ଭଳି ଦୋଳି। ଖୋଲିଛି ରଙ୍ଗବେରଙ୍ଗ ପାନର ପସରା। ଘରେ ଘରେ ପୋଡ଼ପିଠା ପ୍ରସ୍ତୁତ ହୋଇଥିବାବେଳେ ଅନେକ ଅଞ୍ଚଳରେ ବାଦଦଣ୍ଡ, ବାଦୀପାଲା, ବାଗୁଡ଼ି ଖେଳ, ତାସ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହାକୁ ନେଇ ଅନୁଗୋଳ ଜିଲା ଉତ୍ସବମୁଖର ହୋଇଉଠିଛି। ୩ ଦିନ ଧରି ଏହି ପର୍ବ ପାଳନ ହେବାକୁ ଥିବାରୁ ପରିବାରରେ ବନ୍ଧୁବାନ୍ଧବ ପହଞ୍ଚିସାରିଛନ୍ତି। ଗତ ୨ ବର୍ଷ ହେଲା କରୋନା କାରଣରୁ ରଜ ଫିକା ପଡ଼ିଥିଲା। ହେଲେ ଚଳିତବର୍ଷ କଟକଣା ନ ଥିବାରୁ ଧୁମ୍‌ଧାମରେ ଏହି ପର୍ବ ପାଳନ ଆରମ୍ଭ ହୋଇଛି। ଅନୁଗୋଳ ସହରର ଇକୋ ପାର୍କରେ ଦୋଳି ଲାଗିଥିବାରୁ ଏଠାରେ ସହରବାସୀ ରଜର ମଜା ଉଠାଇବେ ବୋଲି କହିଛନ୍ତି।
ସୋମବାର ସଜବାଜ ଥିବାରୁ ଅନୁଗୋଳ ବଜାରରେ ଭିଡ଼ ପରିଲକ୍ଷିତ ହୋଇଥିଲା। ନୂଆ ପୋଷାକ, ଯୋତା କିଣିବାକୁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ମଙ୍ଗଳବାର ପ୍ରଥମ ରଜ ପାଇଁ ସହରର ବିଭିନ୍ନ ସ୍ଥାନରେ ନାନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ପିଠାପଣାରୁ ଠାରୁ ଆରମ୍ଭ କରି ଦୋଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରହିଛି। ସେହିପରି ୩ ଦିନ ସରକାରୀ ଛୁଟି ଥିବାରୁ ଘରେ ରଜ ପାଳନ ପାଇଁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ତପତ୍ରତା ପ୍ରକାଶ ପାଇଛି। ଏହି କାରଣରୁ ସୋମବାର ଅପରାହ୍ନରୁ ସରକାରୀ କାର୍ଯ୍ୟାଳୟ ଶୂନଶାନ୍‌ ହୋଇପଡ଼ିଥିଲା। ଶନିବାର ଓ ରବିବାର ଛୁଟି ପଡ଼ୁଥିବାରୁ କିଛି କର୍ମଚାରୀ ଆଗୁଆ ଛୁଟି ନେଇଯାଇଥିଲେ। ଅନ୍ୟପକ୍ଷରେ ରଜ ପାଳନ ପାଇଁ ଇକୋ ପାର୍କରେ ସ୍ବତନ୍ତ୍ର ଦୋଳି ସାଙ୍ଗକୁ ରଜ ପାନର ବ୍ୟବସ୍ଥା କରାଯାଇଛି। ଏଥିସହ ଚଟ୍‌ପଟା ଖାଦ୍ୟର ପସରା ଖୋଲିଥିବା ଜଣାପଡ଼ିଛି। ପାର୍କକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଇଛି। ସହରବାସୀ ଯେପରି ରଜର ପ୍ରକୃତ ମଜା ଏଠାରେ ପାଇପାରିବେ ସେ ନେଇ ଆକର୍ଷଣୀୟ ବ୍ୟବସ୍ଥା କରାଯାଇଛି। ବିଶେଷକରି କୁମାରୀ ଓ ଯୁବତୀମାନଙ୍କୁ ରଜଭେଟି ଦେବାକୁ ପାର୍କ ପରିଚାଳନାରେ ଥିବା ଘରୋଇ ସଂସ୍ଥା ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି। ଏଥିସହ ସହର ଉପକଣ୍ଠ ଚନ୍ଦ୍ରବାହାଳ ଗ୍ରାମରେ ୨ ଦିନିଆ ରଜ ମହୋତ୍ସବ ପାଳନ ହେବ ବୋଲି ସୂଚନା ମିଳିଛି।

Share