ସ୍କୁଲ ଖୋଲିବାର ୫ ଦିନରେ ୫୪ ଛାତ୍ରୀଛାତ୍ର କରୋନା ପଜିଟିଭ୍‌

ଲଖନପୁର,୧୪ା୧: ମହାମାରୀ କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗତ ମାର୍ଚ୍ଚ ମାସରୁ ସ୍କୁଲ୍‌ କଲେଜ ବନ୍ଦ କରିଥିଲେ। ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଗତ ୮ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାରୀ ଭାବେ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ କୋଭିଡ୍‌ ନିୟମ ପାଳନ କରିବାକୁ କୁହାଯାଇଛି। ସ୍କୁଲ୍‌ ଖୋଲିବାର ୫ଦିନ ମଧ୍ୟରେ ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍କୁଲରେ ୫୪ ଛାତ୍ରୀଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରେ ପୂର୍ବରୁ ୧୩ଜଣ ନର୍ସିଂ ଛାତ୍ରୀ ଅଛନ୍ତି। ସେହିପରି ଲଇକେରା ବ୍ଲକ୍‌ର ୩ ହାଇସ୍କୁଲରେ ୧୯ ଛାତ୍ରୀଛାତ୍ର ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରେ ଗତ ୧୦ ତାରିଖରେ ସାଲେଟିକ୍ରା ହାଇସ୍କୁଲ୍‌ରୁ ୨, ୧୧ତାରିଖରେ ସାହାସପୁର ହାଇସ୍କୁଲ୍‌ରୁ ୯, ୧୩ ତାରିଖରେ ପାକେଲଖୋଲ ହେମସାଗର ହାଇସ୍କୁଲ୍‌ରୁ ୮ ଛାତ୍ରୀଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଭଳିସ୍ଥିତିରେ ବୁଧବାର ଗୋଟିଏ ଦିନରେ ଜିଲାରେ ୨୨ଛାତ୍ରୀଛାତ୍ର ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଜିଲା ପ୍ରଶାସନର ଚିନ୍ତା ବଢିଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ, ଏସ୍‌ପି ବିକାଶ ଚନ୍ଦ୍ର ଦାସ, ବିଡିଓ ଶଙ୍କର କେର୍କେଟା, ଅତିରିକ୍ତ ବିଡିଓ ପ୍ରମୋଦ ଦେହୁରୀ, ବିଇଓ ପ୍ରଦୀପ୍ତ ସା, ଅତିରିକ୍ତ ବିଇଓ ବିଦେଶୀ ବେହେରା ପ୍ରମୁଖ ସ୍କୁଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏହି ସମ୍ପର୍କରେ ଜିଲା କୋଭିଡ୍‌ ନିୟନ୍ତ୍ରଣ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଗୋଲକ ବିହାରି ମଙ୍ଗରାଜଙ୍କୁ ପଚାରିବାରୁ ଜିଲାରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଳିଥିବା ସେ କହିଛନ୍ତି।

Share