ଗାଡ଼ି ଉଦଳାରେ, ଫାଇନ କଟିଛି ୧୦୦ କି.ମି ଦୂରରେ

ଉଦଳା,୨୦ା୧(ଡି.ଏନ.ଏ.): ଗାଡ଼ି ରହିଛି ଘର ପାଖରେ। ହେଲେ ପରିବହନ ବିଭାଗ ଗାଡ଼ିର ଫିଟନେସ୍‌ ଏବଂ ରେଜିଷ୍ଟ୍ରେଶନ ନିମନ୍ତେ ୧୦୦ କି.ମି ଦୂର ଟୋଲଗେଟ୍‌ରେ କାଟିଛି ୫ ହଜାର ଟଙ୍କାର ଫାଇନ୍‌। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହିତ ପରିବହନ ବିଭାଗର ଅବହେଳା ପଦାରେ ପଡ଼ିଥିବା ଆଲୋଚନା ହେଉଛି।
ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ଜିଲା ଉଦଳା ଥାନା କୁଣ୍ଡାବାଇ ଗ୍ରାମର ଦିପେନ କୁମାର ଗିରିଙ୍କର ଓ.ଡିି. ୧୧ବି ୪୫୩୬ ନମ୍ବର ବିଶିଷ୍ଟ ଏକ ୩ ଚକିଆ ମାଲ ବୋଝେଇ ଟେମ୍ପୋ ରହିଛି। ଗତ ଜାନୁୟାରୀ ୫ ତାରିଖରେ ଦିପେନଙ୍କ ଗାଡ଼ି ଘରେ ରହିବା ସହିତ ଅଳ୍ପ ଦୂରରେ ଥିବା କୁଣ୍ଡାବାଇ ହାଟକୁ ମାଲ ନେଇଯାଇଥିଲା। ହେଲେ ସେହିଦିନ ବାରିପଦା-ବାଲେଶ୍ୱର ରାଜପଥର ପଦ୍ମନାଭପୁରଠାରେ ଥିବା ଟୋଲଗେଟରେ ଉକ୍ତ ଅଟୋ ଉପରେ ଫାଇନ କଟାଯାଇଛି। ଦିପେନଙ୍କ ଗାଡ଼ି ଟୋଲଗେଟ ଦେଇ ଯାଇଥିବା ବେଳେ ଇ-ଡିଟେକସନ ଜରିଆରେ ତାଙ୍କ ଗାଡ଼ିର ଫିଟନେସ ଏବଂ ରେଜିଷ୍ଟ୍ରେସନ ନ ଥିବା ନେଇ ୫ ହଜାର ଟଙ୍କାର ଫାଇନ କଟିଥିବା ତାଙ୍କ ମୋବାଇଲକୁ ୭ ତାରିଖରେ ମେସେଜ ଆସିଥିଲା। ଏହା ଦେଖିବା ପରେ ଗାଡ଼ି ମାଲିକ ଦିପେନ ତାଜୁବ ହୋଇଯାଇଥିଲେ। ପରେ ସେ ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ବାରିପଦା ଆରଟିଓଙ୍କ କାର୍ଯ୍ୟାଳୟରେ ମଧ୍ୟ ଘଟଣା ବାବଦରେ ପଚାରି ବୁଝିଥିଲେ। ହେଲେ ଆରଟିଓ କାର୍ଯ୍ୟାଳୟରୁ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ଅନ୍ୟପଟେ ୫ ହଜାର ଟଙ୍କା ଫାଇନ ସେ ପୈଠ କରି ନ ଥିବାରୁ ପୁଣି ଜାନୁୟାରୀ ୧୨ ତାରିଖରେ ପରିବହନ ବିଭାଗ ପକ୍ଷରୁ ଏକ ରିମାଇଣ୍ଡର ମେସେଜ ମଧ୍ୟ ତାଙ୍କ ନିକଟକୁ ଆସିଛି। ଉକ୍ତ ଦିନ ଗାଡ଼ି କୁଣ୍ଡାବାଇରେ ରହିଥିବା ବେଳେ ସେଠାରୁ ୧୦୦ କି.ମି ଦୂର ପଦ୍ମନାଭପୁର ଟୋଲଗେଟରେ ଫାଇନ କିପରି କଟିଲା ତାହା ସବୁଠାରୁ ବଡ଼ ପ୍ରଶ୍ନ। ଯାହାକି ପରିବହନ ବିଭାଗର ଅବହେଳା ଏବଂ ଦାୟିତ୍ୱହୀନତାକୁ ପଦାରେ ପକାଇଛି।