ନୂଆଦିଲ୍ଲୀ,୧୮।୮: ଗତ କିଛି ଦିନରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଭାରତରେ ୫୫,୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ଲକ୍ଷ ପାର କରିଛି। ତେବେ ସବୁଠାରୁ ଭଲ କଥା ହେଉଛି ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବର୍ତ୍ତମାନ ଦେଶରେ କରୋନା ସୁସ୍ଥ ହାର ସଂଖ୍ୟା ୭୩.୧୮ ପ୍ରତିଶତ ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ, ନୂଆ ଚିହ୍ନଟଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭,୦୨,୭୪୨ରେ ପହଞ୍ଚିଛି। ସେଥିମଧ୍ୟରୁ ୬,୭୩,୧୬୬ ଚିକିତ୍ସିତ ହେଉଥିବା ବେଳେ ୧୯,୭୭,୭୭୯ ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ୮୭୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୫୧,୭୯୭କୁ ବୃଦ୍ଧି ପାଇଛି। ଅନ୍ୟପଟେ ଭାରତ ଏଭଳି ୬ଟି ରାଜ୍ୟ ଅଛି ଯେଉଁଠାରେ ଗତ ୨୪ଘଣ୍ଟାରେ କାହାରି ମୃତ୍ୟୁ ହୋଇନାହିଁ। ଉକ୍ତ ରାଜ୍ୟଗୁଡ଼ିକ ହେଲା ଅରୁଣାଞ୍ଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଓ ସିକିମ। ଗତ ୨୪ ଘଣ୍ଟାରେ ଏହି ରାଜ୍ୟରେ କରୋନା ଜନିତ ଜଣଙ୍କର ବି ମୃତ୍ୟୁ ଘଟି ନ ଥିବା ବେଳେ ମିଜୋରାମ ଏପର୍ଯ୍ୟନ୍ତ ଖାତା ଖୋଲି ନ ଥିବା ଜଣାପଡ଼ିଛି।