୬ ବର୍ଷରେ ଗଲାଣି ୮୩୬ ବନ୍ୟପ୍ରାଣୀଙ୍କ ଜୀବନ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରେ ବନ୍ୟଜନ୍ତୁ ସୁରକ୍ଷିତ ନାହାନ୍ତି। ଜଙ୍ଗଲ ହ୍ରାସ ଏବଂ ଖାଦ୍ୟପାନୀୟ ଅଭାବ ଯୋଗୁ ଅନେକ ପ୍ରଜାତିର ଜୀବଜନ୍ତୁ ସବୁଦିନ ପାଇଁ ଧ୍ୱଂସ ପାଇଗଲେଣି। ଯେଉଁ କେତେକ ବଞ୍ଚି ରହିଛନ୍ତି ସେମାନେ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ମନ୍ୟୁଷ ଓ ପ୍ରକୃତି ସହ ସଂଘର୍ଷ କରି ଜୀବନ ହରାଉଛନ୍ତି। ଆବାସସ୍ଥଳ ନଷ୍ଟ ହେବା ସହ ଖାଦ୍ୟପାନୀୟ ଅନ୍ବେଷଣରେ ବନ୍ୟଜନ୍ତୁ ଜନବସତି ଆଡ଼କୁ ଚାଲି ଆସୁଛନ୍ତି। ମଣିଷ ହାବୁଡ଼ରେ ପଡ଼ି ଜୀବନ ହରାଉଛନ୍ତି। ଆଦିମ କାଳରେ ବଞ୍ଚିବା ପାଇଁ ମଣିଷ ବନ୍ୟପ୍ରାଣୀ ସହ ସଂଘର୍ଷ କରୁଥିବା ବେଳେ ଏବେ ଅଧିକ ରୋଜଗାର କରିବା ଲକ୍ଷ୍ୟରେ ଜୀବଜନ୍ତୁଙ୍କୁ ହତ୍ୟା କରୁଛି।
ରାଜ୍ୟରେ ଗତ ୬ ବର୍ଷ ମଧ୍ୟରେ ମଣିଷ ଓ ବନ୍ୟପ୍ରାଣୀ ମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୬୮୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୮୩୬ ବନ୍ୟଜନ୍ତୁ ମଧ୍ୟ ମରିଥିବା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବନ୍ୟଜନ୍ତୁ ପରିବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ସୁରକ୍ଷା କରିବା ଆବଶ୍ୟକ, ନ ହେଲେ ଆଗାମୀ ଦିନରେ ରାଜ୍ୟରୁ ସେମାନେ ସମ୍ପୂର୍ଣ୍ଣ ଲୋପପାଇଯିବେ ବୋଲି ପରିବେଶବିତ୍‌ ଚିନ୍ତାପ୍ରକଟ କରିଛନ୍ତି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ କହିଛନ୍ତି, ବିଭିନ୍ନ ବନଖଣ୍ଡରେ ହାତୀମାନଙ୍କ ଅବାଧ ଚଳପ୍ରଚଳ ପାଇଁ କରିଡର ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିସହ କ୍ଷତିପୂରଣ ତୁରନ୍ତ ପ୍ରଦାନ ସହ ସଚେତନତା ସୃଷ୍ଟି କରାଗଲେ ଜୀବଜନ୍ତୁ ମୃତ୍ୟୁ ହାର ବହୁ ମାତ୍ରାରେ ହ୍ରାସ ପାଇପାରିବ।

Share