Categories: ମେଟ୍ରୋ

ମାର୍କେଟ ବିଲ୍ଡିଂରେ ପୁଣି ସ୍ଥାୟୀ, ଅସ୍ଥାୟୀ ଦୋକାନୀ ମୁହାଁମୁହିଁ

ଭୁବନେଶ୍ୱର, ୧୦।୯ (ବନ୍ଦନା ସେଠୀ)କିଛିଦିନର ବ୍ୟବଧାନ ପରେ ପୁଣି ମାର୍କେଟ ବିଲ୍ଡିଂରେ ବ୍ୟବସାୟ କରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ଅପରାହ୍ନରେ ୧୦ରୁ ଅଧିକ ଉଠାଦୋକାନୀ ମାର୍କେଟ ଭିତରେ ବ୍ୟବସାୟ କରିବାକୁ ଯାଇଥିବାବେଳେ ମାର୍କେଟ ଆସୋସିଏଶନ୍‌ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। କଥା କଟାକଟି ହେବା ସହ ହାତାହାତି ପରିସ୍ଥିତି ହୋଇଥିଲା। ଶେଷରେ ଦୁଇପକ୍ଷ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ କାହା ନାମରେ ମାମଲା ହୋଇ ନ ଥିବା ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି।
ଘଟଣାନୁଯାୟୀ, ମାର୍କେଟ ବିଲ୍ଡିଂରେ ଉଠାଦୋକାନୀମାନେ ବ୍ୟବସାୟ କରି ପାରିବେ ନାହିଁ ବୋଲି ବିଏମ୍‌ସି ସ୍ପଷ୍ଟ କରିବା ପରେ କିଛିଦିନ ଧରି ସ୍ବଭାବିକ ଭାବେ ବ୍ୟବସାୟ ଚାଲିଥିଲା। ତେବେ ଏହାକୁ ନେଇ କିଛି ବ୍ୟବସାୟୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବିଏମ୍‌ସି ସେମାନଙ୍କୁ ଥଇଥାନ ନ କରିବା ଯାଏ ସେମାନେ ମାର୍କେଟରେ ବେପାର କରି ପାରିବେ ବୋଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ରହିଥିବା ବ୍ୟବସାୟୀ ସଂଘ ଦାବି କରିଛି। ତେଣୁ ଆସୋସିଏଶନ୍‌ ତାଙ୍କୁ ବାରଣ କରିପାରିବ ନାହିଁ ବୋଲି ସେମାନେ କହିଛନ୍ତି। ଅପରପକ୍ଷେ ଉଠାଦୋକାନୀମାନେ ମିଛ କହୁଛନ୍ତି। ସେଭଳି କିଛି ଆଦେଶ ହାଇକୋର୍ଟ ଦେଇ ନ ଥିବା ଆସୋସିଏଶନ୍‌ ପକ୍ଷରୁ ଦାବି କରାଯାଉଛି। ଏହାକୁ ନେଇ ଦୁଇପକ୍ଷ ହାତାହାତି ହୋଇଥିଲେ। ଏପରିକି ଘଟଣା ସମୟରେ ଆସୋସିଏଶନ୍‌ ପକ୍ଷରୁ ନିଯୁକ୍ତ ହୋଇଥିବା ସିକ୍ୟୁରିଟି ଗାର୍ଡ ଏହାର ରେକର୍ଡିଂ କରୁଥିବାବେଳେ ଉଠାଦୋକାନୀ ତାହାକୁ ଛଡାଇବା ସହ ତାଙ୍କ ଡ୍ରେସ୍‌ ଚିରିଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣାନେଇ କ୍ୟାପିଟାଲ ଥାନା ଅଧିକାରୀ କହିଛନ୍ତି, ଦୁଇପକ୍ଷ ସେମାନଙ୍କ ସପକ୍ଷରେ ଅର୍ଡର ଦେଖାଉଛନ୍ତି। ତେଣୁ କେଉଁଟା ସତ ତାହା ଦେଖିବାକୁ ପଡିବ। ପୁଣି ସ୍ଥାୟୀ, ଅସ୍ଥାୟୀ ଦୋକାନୀ ଏବଂ ବିଏମ୍‌ସି ଏହି ୩ପକ୍ଷ ମୁହଁାମୁହଁି ହେଉ ନ ଥିବାରୁ ସମସ୍ୟାର ସମାଧାନ ବାହାରି ପାରୁନାହିଁ। ସେହିପରି ନିୟମ ନ ଥିବାରୁ ମାର୍କେଟରେ କୌଣସି ଉଠାଦୋକାନୀ ବସି ପାରିବେ ନାହିଁ ବୋଲି ଆସୋସିଏଶନ୍‌ ଜିଦ୍‌ ଧରି ବସିଛି।

Share