ଯୁଦ୍ଧ ମଝିରେ ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସିଙ୍କୁ କଲେ ବରଖାସ୍ତ …

କିଭ୍‌,୪।୯: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ପଦକ୍ଷେପ ନେଇଛନ୍ତି। ରବିବାର ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭଙ୍କୁ ବରଖାସ୍ତ କରିଛନ୍ତି। ଓଲେକ୍ସିଙ୍କୁ କ୍ରିମିଆ ସାଂସଦ ରୁସ୍ତମ ଉମେରୋଭଙ୍କ ସ୍ଥାନ ଦିଆଯିବ।

ଜେଲେନସ୍କି ତାଙ୍କ ଅଫିସିଆଲ ଟେଲିଗ୍ରାମ ଆକାଉଣ୍ଟରେ ଏହି ଘୋଷଣା କରି କହିଛନ୍ତି ୫୫୦ରୁ ଅଧିକ ଦିନ ଯୁଦ୍ଧରେ ଉମେରୋଭଙ୍କ ଭଳି ନୂତନ ନେତୃତ୍ୱ ଆବଶ୍ୟକ। ଜେଲେନସ୍କି ଆହୁରି କହିଛନ୍ତି ସେ ବିଶ୍ୱାସ କରନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ଉଭୟ ସୈନ୍ୟ ଏବଂ ସାଧାରଣ ନାଗରିକଙ୍କ ସହିତ ନୂତନ ଆଭିମୁଖ୍ୟ ଏବଂ ବିଭିନ୍ନ ଫର୍ମାଟରେ ଯୋଗାଯୋଗ ବୃଦ୍ଧି କରିବା ଆବଶ୍ୟକ ।

ବିରୋଧୀ ହୋଲୋସ ଦଳର ୪୧ ବର୍ଷିୟ ଉମରୋଭ, ସେପ୍ଟେମ୍ବର ୨୦୨୨ ଠାରୁ ୟୁକ୍ରେନର ରାଜ୍ୟ ସମ୍ପତ୍ତି ପାଣ୍ଠିର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି। ସେ ଯୁଦ୍ଧ ବନ୍ଦୀ, ସାଧାରଣ ନାଗରିକ ଏବଂ ଅଧିକୃତ ଅଞ୍ଚଳରୁ ଶିଶୁମାନଙ୍କୁ ନିରାପଦ ସ୍ଥାନାନ୍ତର କରିବାରେ ମଧ୍ୟ ଜଡିତ ଥିଲେ। ଜାତିସଂଘ ସମର୍ଥିତ ଶସ୍ୟ ଚୁକ୍ତିରେ ରୁଷିଆ ସହିତ ହୋଇଥିବା ଆଲୋଚନାରେ ଉମେରୋଭ ମଧ୍ୟ ୟୁକ୍ରେନ ପ୍ରତିନିଧୀଙ୍କ ଅଂଶ ହୋଇଥିଲେ।

Share