ମଣିଷ ସବୁବେଳେ ଖୁସିରେ ରହିବାକୁ ଚାହିଁଥାଏ। ଉତ୍ତମ ଚିନ୍ତାଧାରା ସହ ସୁସ୍ଥ ଜୀବନଯାପନ କରିବାର ସ୍ବପ୍ନ ବି ଦେଖେ। ତେଣୁ ବିଚାରଧାରାକୁ ସକାରାତ୍ମକ ରଖିବା ଦରକାର। ହେଲେ ଅନେକ ସମୟରେ ଆମେ ନକାରାତ୍ମକ ଚିନ୍ତାଧାରାର ବଶବର୍ତ୍ତୀ ହୋଇଥାଉ। ଏହାଦ୍ୱାରା ଅନେକ ବାଟବଣା ହୋଇଥାଆନ୍ତି। ତେଣୁ ଜୀବନରେ ସଠିକ୍ ମାର୍ଗକୁ ଆପଣେଇ ଖୁସିରେ ରହିବାକୁ ହେଲେ ଆମକୁ ଆମ ବିଚାରଧାରାରେ ପରିବର୍ତ୍ତନ କରିବାକୁ ହେବ ବୋଲି କାଲିଫର୍ନିଆ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ପ୍ରଥମତଃ ଆପଣଙ୍କ ଜୀବନରେ ଆସୁଥିବା ନକାରାତ୍ମକ ବିଷୟଗୁଡ଼ିକୁ ନେଇ ଚିନ୍ତାଗ୍ରସ୍ତ ନ ହୋଇ ସେଭଳି ଭାବନାଠାରୁ ଯେତେସମ୍ଭବ ନିଜକୁ ଦୂରେଇ ରଖନ୍ତୁ। ସକାରାତ୍ମକ ଚିନ୍ତାଧାରା ମନରେ ଖୁସି ଭରି ଦେଇଥାଏ। ଏପରି ବ୍ୟକ୍ତିଙ୍କ ସହ ମିଶନ୍ତୁ, ଯାହାର ସକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନଶୈଳୀ ଉପରେ ପଡ଼ିବ।