ଆଜିକାଲିର ଧାଁ ଧପଡ଼ ଜୀବନରେ ଅନେକେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ନ ଥାନ୍ତି। ନିଜର ଦୈନନ୍ଦିନ କାମରେ ବ୍ୟସ୍ତ ରହିବା ଯୋଗୁ ନିୟମିତ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା, ନିଜ ଖାଦ୍ୟପେୟ ପ୍ରତି ଯତ୍ନବାନ ହେବାକୁ ସେମାନଙ୍କ ନିକଟରେ ପ୍ରାୟ ସମୟ ନ ଥାଏ। ହେଲେ ବର୍ତ୍ତମାନ ନିଜକୁ ସୁସ୍ଥ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ କଥା ପାଲଟି ଯାଇଛି। କାରଣ ଏବେ ପ୍ରଦୂଷିତ ଜଳବାୟୁ ରୋଗ ସୃଷ୍ଟି କରିବାର ପ୍ରମୁଖ କାରଣ ପାଲଟି ଯାଇଛି। ତେଣୁ ଏ ନେଇ ସଚେତନ ରହିବା ନିହାତି ଦରକାର। ଯେତେ ବ୍ୟସ୍ତ ରହିଲେ ମଧ୍ୟ ନିଜର ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ। ଏପରି ଖାଦ୍ୟ ଖାଆନ୍ତୁ ନାହିଁ, ଯାହା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ପରୋକ୍ଷରେ ଡାକି ଆଣିବ। ଖାଦ୍ୟ ତାଲିକାରେ ସୁଷମଖାଦ୍ୟ ସାମିଲ କରନ୍ତୁ। ଯେତେ ବ୍ୟସ୍ତ ରହିଲେ ମଧ୍ୟ ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ କରନ୍ତୁ। ଘରେ ଯୋଗ, ପ୍ରାଣାୟାମ କରିବାକୁ ଭୁଲନ୍ତୁ ନାହିଁ। କୌଣସି ରୋଗର ଲକ୍ଷଣ ବିଷୟରେ ଜାଣିବା ମାତ୍ରେ ତାହାକୁ ଆଦୌ ଅବହେଳା କରିବା ଠିକ୍ ନୁହେଁ। ଯଦି ଆପଣ ରକ୍ତ ଚାପ (ବ୍ଲଡ ପ୍ରେସର), ମଧୁମେହ ବା ଡାଇବେଟିସ୍, ଆଜ୍ମା ପରି ରୋଗରେ ଆକ୍ରାନ୍ତ ତେବେ ଅଧିକ ସର୍ତକ ରହିବା ଜରୁରୀ। ନିଜେ ଯେତେ ସୁସ୍ଥ ରହିଲେ ମଧ୍ୟ ବୟସ ବଢ଼ିବା ସହ କେତେକ ରୋଗର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେଣୁ ବୟସ ୪୦ ଟପିଲେ ନିୟମିତ ସମୟ ଅନ୍ତରାଳରେ ବ୍ଲଡପ୍ରେସର, ରକ୍ତରେ ସୁଗାର ପରିମାଣ ଚେକ୍ କରିନିଅନ୍ତୁ। ନିଜର ସ୍ବାସ୍ଥ୍ୟଜନିତ ସମସ୍ୟା ବିଷୟରେ ଅଭିଜ୍ଞ ଡାକ୍ତରଙ୍କ ସହ ବିଶଦ୍ ଭାବରେ ଆଲୋଚନା କରନ୍ତୁ। ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ ଏବଂ ରାତିରେ ଅତିକମ୍ରେ ୬-୭ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ। ନିଶାଦ୍ରବ୍ୟ ସେବନ, ଟେନସନ, ଅବସାଦଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ।