ଶ୍ରୀଲଙ୍କା ଜନବିଦ୍ରୋହ ଅନ୍ତରାଳେ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ ଶନିବାର ଶ୍ରୀଲଙ୍କାରେ ଏକ ଅଭୂତପୂର୍ବ ଗଣବିଦ୍ରୋହ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ରାଜଧାନୀ କଲମ୍ବୋରେ ରାଷ୍ଟ୍ରପତି ଭବନ ଓ ସଂସଦକୁ ଏକରକମ ଦଖଲ କରି ନେଇଛନ୍ତି। ପ୍ରଧାନମନ୍ତ୍ରୀ ରନିଲ ଓ୍ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି। ପରିସ୍ଥିତି ଏତେ ଭୟାନକ ହୋଇଛି ଯେ ସେଠାକାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡ଼ି ବାହାରକୁ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି। ଜନବିଦ୍ରୋହରେ ଭୟଭୀତ ହୋଇ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାକୁ ଘୋଷଣା କରିଥିବା ବେଳେ ଦେଶକୁ ରାଜନୈତିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ଏକ ସର୍ବଦଳୀୟ ସରକାର ଗଠନର ଉଦ୍ୟମ ଆରମ୍ଭ ହୋଇଛି।
ଶ୍ରୀଲଙ୍କାର ବୈଦେଶିକ ମୁଦ୍ରାଭଣ୍ଡାରରେ ବିଦେଶୀ ମୁଦ୍ରାର ଅଭାବ ଯୋଗୁ ବିଦେଶରୁ ପେଟ୍ରୋଲଜାତ ଦ୍ରବ୍ୟ, ଖାଦ୍ୟଶସ୍ୟ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷର ଆମଦାନୀ ପ୍ରାୟତଃ ବନ୍ଦ ହୋଇଯାଇଛି। ଫଳରେ ସେଠାରେ ଖାଦ୍ୟଶସ୍ୟ, ଜାଳେଣି ଓ ଔଷଧପତ୍ରର ଘୋର ଅଭାବ ଦେଖାଦେଇଛି। ବଜାରରେ ଯାହା ବି ଜିନିଷ ମିଳୁଛି ତାକୁ ପାଇବା ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ୁଛି। ସଙ୍କଟ ଏତେ ଖରାପ ସ୍ଥିତିରେ ପହଞ୍ଚିିଛି ଯେ ପେଟ୍ରୋଲ ଟାଙ୍କି ଠାରୁ ଆରମ୍ଭକରି ଔଷଧ ଦୋକାନ ପର୍ଯ୍ୟନ୍ତ ସବୁଠି ସେନା ମୁତୟନ କରିବାକୁ ପଡ଼ୁଛି। ଶକ୍ତି ସଙ୍କଟ ଏତେ ଉତ୍କଟ ହୋଇଛି ଯେ ଦୈନିକ ହାରାହାରି ୩-୪ ଘଣ୍ଟା ହିଁ ବିଦ୍ୟୁତ୍‌ ଉପଲବ୍ଧ ହେଉଛି ଏବଂ ବିଦ୍ୟୁତ୍‌ ଅଭାବରୁ ସେଠାକାର କଳକାରଖାନା ସବୁ ନିଜର ଉପତ୍ାଦନ ପ୍ରାୟତଃ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଦେଶରେ ଔଷଧପତ୍ର ଅଭାବରେ ଲୋକେ ଅକାଳରେ ପ୍ରାଣ ହରାଉଛନ୍ତି।
୨୦୦୯-୧୨ ମଧ୍ୟରେ ୮-୯ % ବିକାଶ ଦର ସହିତ ଶ୍ରୀଲଙ୍କାର ଅର୍ଥନୀତି ଭଲ ଅବସ୍ଥାରେ ରହିଥିଲା। ଚା, ରବର ଓ କପଡ଼ା ରପ୍ତାନିରେ ଏହା ବିଶ୍ୱର ଏକ ଅଗ୍ରଣୀ ଦେଶ ଥିଲା। ତେବେ ଆର୍ଥିକ ଭାବେ ସମୃଦ୍ଧ ହେଲେ ବି ଏହାର ଅର୍ଥନୀତି ସ୍ବୟଂସମ୍ପୂର୍ଣ୍ଣ ନ ଥିଲା। ଦେଶର ଖାଦ୍ୟ ଆବଶ୍ୟକତାର ସିଂହଭାଗଟି ଦେଶ ଭିତରୁ ପୂରଣ ହେଉଥିବା ବେଳେ ବଳକା ବିଦେଶରୁ ଆମଦାନୀ ଉପରେ ନିର୍ଭର କରୁଥିଲା। ପର୍ଯ୍ୟଟନ ସାଙ୍ଗକୁ ଚା’, କଫି ତଥା କପଡ଼ାର ରପ୍ତାନି ଦେଶର ଆୟର ମୁଖ୍ୟସ୍ରୋତ ହୋଇଥିବା ବେଳେ ପଶ୍ଚିମ ଏସିଆରେ କାର୍ଯ୍ୟରତ ଦେଶର ଶ୍ରମିକମାନେ ବି ବୈଦେଶିକ ମୁଦ୍ରା ଆୟର ଏକ ବଡ଼ ସ୍ରୋତ ହୋଇ ଆସିଛନ୍ତି। ତେବେ କୋଭିଡ୍‌ ମହାମାରୀ ପର୍ଯ୍ୟଟନ ସମେତ ତା’ର ରପ୍ତାନିଭିତ୍ତିକ ଅର୍ଥନୀତିକୁ ଏକଦମ ଧ୍ୱଂସ କରିଦେଲା। ଏଭଳି ପରିସ୍ଥିତିରେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସ ପାଇବା ସହ ଡଲାର ଅଭାବରେ ସେମାନେ ନିଜର ଆବଶ୍ୟକୀୟ ଜାଳେଣି, ଖାଦ୍ୟଶସ୍ୟ ଓ ଔଷଧ ପରି ଜରୁରୀ ଜିନିଷକୁ ଆମଦାନୀ କରିବା ଅସମ୍ଭବ ହୋଇପଡ଼ିଲା।
ଶ୍ରୀଲଙ୍କାର ସଙ୍କଟ ପାଇଁ ଦେଶର ବିପୁଳ ବିଦେଶୀ ଋଣଭାର ଦାୟୀ, ଯାହାକି ଲଗାତର ବୃଦ୍ଧି ପାଇ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ମୋଟ ଋଣଭାର ଭାରତୀୟ ଟଙ୍କାରେ ୩.୭୫ ଲକ୍ଷ କୋଟିିରେ ପହଞ୍ଚିଛି ଯାହାକି ଦେଶର ଜିଡିପି ତୁଳନାରେ ଅନୁପାତ୧୧୯ % ରହିଛି। ତେବେ ଦେଶର ମୋଟ ବୈଦେଶିକ ଋଣର ୪୭% ଖୋଲାବଜାରରୁ ଉଠାଯାଇଥିବା ବେଳେ ୧୩ % ଏସୀୟ ବିକାଶ ବ୍ୟାଙ୍କରୁ ଏବଂ ବଳକା ଜାପାନ (୧୦%), ଚାଇନା (୧୦%), ବିଶ୍ୱବ୍ୟାଙ୍କ (୧୦%) ଓ ଭାରତ (୨%) ଆଦି ଦେଶର ରହିଛି। ଆର୍ଥିକ ସଙ୍କଟ ଯୋଗୁ ସେଠାକାର ମୁଦ୍ରାର ବ୍ୟାପକ ଅବମୂଲ୍ୟାୟନ ହୋଇଛି। ଗତ ମାର୍ଚ୍ଚରେ ଡଲାର ତୁଳନାରେ ତାହା ୨୦୦ ଟଙ୍କା ଥିଲା ବେଳେ ଗତ କିଛି ମାସ ମଧ୍ୟରେ ତାହା ୮୨% ହ୍ରାସ ପାଇ ଏବେ ୩୬୩ ଟଙ୍କାରେ ପହଞ୍ଚିଛି। ଦରବୃଦ୍ଧି ହାର ଗତ ବର୍ଷ ତୁଳନାରେ ୧୩ % ବୃଦ୍ଧି ପାଇ ୧୮%ରେ ପହଞ୍ଚିଛି। ଗତ ମାସ ସୁଦ୍ଧା ସେଠାକାର ମୁଦ୍ରାଭଣ୍ଡାରରେ ମାତ୍ର ୧୬,୦୦୦ କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଋଣ ବାବଦରେ ମୋଟ ୫୬,୦୦୦ କୋଟି ଟଙ୍କାର ବୈଦେଶିକ ଋଣ ପରିଶୋଧ ପାଇଁ ରହିଛି। ସେଥିମଧ୍ୟରୁ ପ୍ରାୟ ୮ ହଜାର କୋଟି ଟଙ୍କାର ଋଣ ବଣ୍ଡ୍‌କୁ ଚଳିତ ଜୁଲାଇରେ ଶୁଝାଯିବାର ରହିଛି। ଦେଶର ମୋଟ ଆୟ ୧୨ ନିୟୁତ ଡଲାର ହୋଇଥିବା ବେଳେ ଖର୍ଚ୍ଚ ୨୨ ନିୟୁତ ଡଲାରରେ ପହଞ୍ଚିଛି।
ଶ୍ରୀଲଙ୍କାର ରାଜନୀତି ଓ ଶାସନରେ ରାଜପାକ୍ସେ ପରିବାରର ଏକାଧିପତ୍ୟ ମୂଳରେ ରହିଛି ସିଂହଳୀ ଜାତୀୟତାବାଦର ରାଜନୀତି। ସର୍ବପ୍ରଥମେ ସଂଖ୍ୟାଲଘୁ ତାମିଲଙ୍କ ନିଧନ ଅଭିଯାନରୁ ଆରମ୍ଭ ହୋଇଥିବା ଏହି ସାମ୍ପ୍ରଦାୟିକ ଜାତୀୟତାବାଦ ପରେ ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ପରି ଅନ୍ୟ ସଂଖ୍ୟାଲଘୁଙ୍କୁ ନିଜର ଲକ୍ଷ୍ୟବସ୍ତୁ କରିଛି। ଆମ ଦେଶ ପରି ସେଠାରେ ମଧ୍ୟ ଗତ କିଛି ବର୍ଷ ଧରି ସରକାରୀ ପୃଷ୍ଠପୋଷକତାରେ ସଂଖ୍ୟାଲଘୁ ବିରୋଧୀ ଉଗ୍ର ସିଂହଳୀ ଜାତୀୟତାବାଦୀ ରାଜନୀତିକୁ ଶକ୍ତିଶାଳୀ କରାଯାଇଛି। ବୌଦ୍ଧ ମୌଳବାଦୀଙ୍କ ଚାପରେ ସରକାର ଦେଶରେ ହଲାଲ ଓ ହିଜାବ୍‌କୁ ବେଆଇନ କରିଛନ୍ତି। ସରକାରଙ୍କ ପ୍ରୋତ୍ସାହନରେ ସଂଖ୍ୟାଲଘୁମାନଙ୍କ ମସ୍‌ଜିଦ୍‌ ଓ ଚର୍ଚ୍ଚ ଉପରେ ଲଗାତର ଆକ୍ରମଣ ହୋଇଛି। ତେବେ ଲୋକେ ଏଭଳି ସାମ୍ପ୍ରଦାୟିକ ବିଦ୍ୱେଷ ଓ ହିଂସାରେ ମାତିଥିବା ବେଳେ ରାଜପାକ୍ସେଙ୍କ ଜନବିରୋଧୀ ନୀତି ଦେଶର ଅର୍ଥନୀତି ସହ ଦେଶବାସୀଙ୍କୁ କାଙ୍ଗାଳ କରି ଦେଇଛି।
ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟ ପାଇଁ ବେଶି ଦାୟୀ ହେଉଛି ସେଠାକାର ସରକାରଙ୍କ ନବଉଦାର ଅର୍ଥନୀତି ଏବଂ ଏକଚ୍ଛତ୍ରବାଦୀ ଶାସନ ନୀତି। ରାଜପାକ୍ସେଙ୍କ ସରକାର ଫାସିବାଦୀ ନୀତିରେ ଦେଶର ଶ୍ରମିକ ଓ କୃଷକଙ୍କ ଆନ୍ଦୋଳନ ସହ ସମସ୍ତ ପ୍ରକାର ଭିନ୍ନମତକୁ ଦମନ କରି ଆସିଛନ୍ତି। ତରବରିଆ ଭାବେ ବିନା କୌଣସି ପୂର୍ବ ପ୍ରସ୍ତୁତିରେ କୃଷକଙ୍କ ମତାମତ ନ ନେଇ ସରକାର ଦେଶକୁ ସମ୍ପୂର୍ଣ୍ଣ ଜୈବିକ କରିବା ନାଁରେ ରାସାୟନିକ ସାର ଓ କୀଟନାଶକର ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏହା କୃଷିକୁ ଭୟଙ୍କର ସଙ୍କଟ ଭିତରକୁ ଠେଲିଦେଇଛି ଓ କୃଷି ଉପତ୍ାଦନରେ ୨୦ % ହ୍ରାସ ପାଇଛି। ଏହାବ୍ୟତୀତ ରାଜପାକ୍ସେଙ୍କ ଶାସନ କାଳରେ ସରକାରୀ ସମ୍ପତ୍ତିର ଘରୋଇକରଣ ସହ ଦେଶର ସ୍ବଚ୍ଛଳ ବର୍ଗଙ୍କୁ ବିପୁଳ ଆର୍ଥିକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ଲୋକଙ୍କ ଉପରେ ଟିକସ ବୋଝ ବଢ଼ାଯାଇଛି। ୨୦୧୯ରେ ପୁଣିଥରେ କ୍ଷମତାକୁ ଆସିବା ପରେ ରାଜପାକ୍ସେ ଦେଶର ଧନୀମାନଙ୍କ ଉପରେ ପୂର୍ବରୁ ରହିଥିବା ୨% ଜାତୀୟ ନିର୍ମାଣ ଟିକସକୁ ଉଚ୍ଛେଦ କରିବା ସହ ସେମାନଙ୍କ ସମ୍ପତ୍ତି କରକୁ ହ୍ରାସ କରିଛନ୍ତି। ବ୍ୟବସାୟୀମାନଙ୍କୁ ଖୁସି କରିବାକୁ ଭାଟ୍‌ର ହାରକୁ ୧୫% ରୁ ୮%କୁ ହ୍ରାସ କରିଥିବା ବେଳେ ଦେଶର ଧର୍ମାନୁଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ କରମୁକ୍ତ କରିଛନ୍ତି। ସରକାରଙ୍କ ଏଭଳି ଧନୀ ଓ କର୍ପୋରେଟ୍‌ ସପକ୍ଷବାଦୀ ନୀତି ଲାଗି ଦେଶର ମୋଟ ଟିକସର ହାର ଜିଡିପିର ୯%କୁ ହ୍ରାସ ପାଇଥିବା ବେଳେ ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ଅର୍ଥର ଅଭାବ ଦେଖାଯାଇଛି।
ଶ୍ରୀଲଙ୍କାର ସଂଖ୍ୟାଗରିଷ୍ଠ ସିଂହଳୀ ଜନତା ଧାର୍ମିକ ଘୃଣା ଉପରେ ଆଧାରିତ ଜାତୀୟତାବାଦରୁ ଊର୍ଦ୍ଧ୍ୱକୁ ଯାଇ ବର୍ତ୍ତମାନ ନିଜର ତଥା ଦେଶର ଅର୍ଥନୀତିକୁ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି। ସେମାନେ ସେଠାକାର ଏକଚ୍ଛତ୍ରବାଦୀ ତଥା ଲୁଟେରା ରାଜପାକ୍ସେ ପରିବାର ସହିତ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜନବିରୋଧୀ ଏବଂ ଦେଶ ବିରୋଧୀ ନୀତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଶ୍ୱବାସୀ ବି ଶ୍ରୀଲଙ୍କାର ଏହି ସଙ୍କଟ ସମୟରେ ସହଯୋଗର ହାତ ବଢ଼ାଇବା ସହିତ ସେଠାକାର ସ୍ଥିତିରୁ ଶିକ୍ଷା ନେବା ଜରୁରୀ ହୋଇପଡ଼ିଛି।
ମୋ : ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri