ୟୁକ୍ରେନ୍‌ ଆକ୍ରମଣ ଅନ୍ତରାଳେ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ କିଛିମାସ ଧରି ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଶେଷରେ ଯୁଦ୍ଧର ରୂପ ନେଇଛି। ରୁଷିଆ ଆକ୍ରମଣର ପାଲଟା ଜବାବ ଦେବା ୟୁକ୍ରେନ୍‌ ପକ୍ଷରେ ସମ୍ଭବ ନ ଥିବାରୁ ଏହି ଏକପାଖିଆ ଯୁଦ୍ଧରେ କେବଳ ୟୁକ୍ରେନ୍‌ର ହିଁ ସୈନ୍ୟ ଓ ସାଧାରଣ ଜନତା ମୃତାହତ ହେବା ନିଶ୍ଚିତ। ଯଦିଓ ବାହାରକୁ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବା ଜଣାପଡୁଛି କିନ୍ତୁ ଅସଲ ଲଢ଼େଇଟି ବିଶ୍ୱର ଦୁଇ ମହାଶକ୍ତି ରୁଷିଆ ଓ ଆମେରିକା ମଧ୍ୟରେ ହେଉଛି। କହିବାକୁ ଗଲେ ୟୁକ୍ରେନ୍‌ ଏବେ ବିଶ୍ୱର ଦୁଇ ସାମ୍ରାଜ୍ୟବାଦୀ ଶକ୍ତିଙ୍କ ପ୍ରତିଦ୍ୱନ୍ଦ୍ୱିତାର ଶିକାର ପାଲଟିଛି।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆଦୌ ଆକସ୍ମିକ ନ ଥିଲା ବରଂ ଦୀର୍ଘଦିନ ଧରି ବିଶ୍ୱର ଦୁଇ ମହାଶକ୍ତି ମଧ୍ୟରେ ଚାଲିଥିବା ସଂଘର୍ଷର ଏହା ପରିଣାମ ବୋଲି କୁହାଯାଇପାରେ। ଯଦିଓ ଆମେରିକା ବର୍ତ୍ତମାନ ଚାଇନାକୁ ନିଜର ବଡ଼ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିଚାର କରୁଛି ଏବଂ ତା’ ବିରୋଧରେ ସମସ୍ତ ରଣକୌଶଳ ଚଳାଇଛି, କିନ୍ତୁ ସାମରିକ ଭାବେ ସେ ରୁଷିଆକୁ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖୁଛି। ୟୁକ୍ରେନ୍‌କୁ ନାଟୋରେ ସାମିଲ କରି ରୁଷିଆକୁ ସାମରିକ ଭାବେ ଘେରିବାକୁ ଆମେରିକା ଚାହୁଁଥିବାବେଳେ ରୁଷିଆ ମଧ୍ୟ ନିଜର ସୁରକ୍ଷା ତଥା ପ୍ରଭାବକୁ ବଢ଼େଇବାକୁ ଦୃଢ଼ପରିକର ଥିବା ଜଣାପଡ଼ିଛି। ଏନେଇ ରୁଷିଆ ରାଷ୍ଟ୍ରପତି ଭ୍ଲ୍ଳାଡିମିର୍‌ ପୁଟିନ୍‌ ଗତ ଡିସେମ୍ବର ୨୩ରେ ମସ୍କୋରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବକ୍ତବ୍ୟଟି ଯୁଦ୍ଧ ପଛର ପ୍ରକୃତ କାରଣକୁ ସ୍ପଷ୍ଟ କରୁଛି। ପୁଟିନ୍‌ ସେଦିନ ସ୍ପଷ୍ଟ ଭାବେ କହିଥିଲେ ଯେ ପୂର୍ବ ଆଡ଼କୁ ନାଟୋର ବିସ୍ତାରକୁ କଦାପି ଗ୍ରହଣ କରାଯାଇପାରିବନି। ଆମେ ଯାଇ ଆମେରିକାର ସୀମାରେ କ୍ଷେପଣାସ୍ତ୍ର ମୁତୟନ କଲେ କ’ଣ ସେମାନେ ଗ୍ରହଣ କରିବେ?
ସୋଭିଏଟ୍‌ ରୁଷିଆ ନେତୃତ୍ୱରେ ତତ୍କାଳୀନ ସମାଜବାଦୀ ଦେଶଗୁଡ଼ିକ ଶକ୍ତି ବୃଦ୍ଧିରେ ଆତଙ୍କିତ ହୋଇ ଆମେରିକା ନେତୃତ୍ୱରେ ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ଦେଶଗୁଡ଼ିକ ୧୯୪୯ରେ ଉତ୍ତର ଆଟଲାଣ୍ଟିକ୍‌ ଚୁକ୍ତି ସଂଗଠନ ବା ନାଟୋ ଗଠନ କରିଥିଲେ। ଏହି ସାମରିକ ମେଣ୍ଟର ବିକଳ୍ପରେ ତତ୍କାଳୀନ ସୋଭିଏଟ୍‌ ରୁଷିଆ ଓ ତା’ର ସହଯୋଗୀ ସମାଜବାଦୀ ଦେଶଗୁଡ଼ିକ ମିଶି ୧୯୫୫ରେ ୱାରସା ମେଣ୍ଟ ଗଠନ କରିଥିଲେ। କିନ୍ତୁ ୧୯୯୧ରେ ସୋଭିଏଟ୍‌ ରୁଷିଆ ଓ ଅନ୍ୟ ପୂର୍ବ ୟୁରୋପୀୟ ଦେଶଗୁଡ଼ିକରେ ସମାଜବାଦୀ ବ୍ୟବସ୍ଥାର ପତନ ପରେ ୱାରସା ମେଣ୍ଟ ଅସ୍ତିତ୍ୱ ହରାଇଥିଲା। ଅତଏବ ସେହି ପରିସ୍ଥିତିରେ ନାଟୋ ପରି ଏକ ସାମରିକ ମେଣ୍ଟ ରହିବାର ଆଉ କୌଣସି ଯଥାର୍ଥତା ନ ଥିଲା। କିନ୍ତୁ ଆମେରିକା ଓ ତା’ର ସହଯୋଗୀମାନେ ତାକୁ ଭାଙ୍ଗିଦେବା ପରିବର୍ତ୍ତେ ଶକ୍ତିଶାଳୀ କରିବାକୁ ଲାଗିଲେ। ଏପରିକି ରୁଷିଆକୁ ଆଶ୍ୱସ୍ତ କରିବାକୁ ନାଟୋର ପୂର୍ବଦିଗରେ ସମ୍ପ୍ରସାରଣ ନ କରିବାକୁ ସେତେବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ପରବର୍ତ୍ତୀ ଅବସ୍ଥାରେ ତାକୁ ଉଲ୍ଲଂଘନ କରାଗଲା। ଫଳସ୍ବରୂପ ଶୀତଳଯୁଦ୍ଧ ସମାପ୍ତିର ତିନି ଦଶକ ପରେ ମଧ୍ୟ ନାଟୋ ପୂର୍ବ ଓ ପଶ୍ଚିମ ୟୁରୋପ ଛାଡ଼ି ଶେଷରେ ଆଫ୍ରିକା ଓ ମଧ୍ୟ ଏବଂ ପଶ୍ଚିମ ଏସିଆରେ ସାମରିକ ହସ୍ତକ୍ଷେପ କରିବା ଦେଖାଗଲା। ଆଫଗାନିସ୍ତାନରେ ନାଟୋର ବର୍ବରତାକୁ ସାରା ଦୁନିଆ ଦେଖିଲା।
ଗୋର୍ବାଚୋଭ୍‌ ଓ ୟେଲଟ୍‌ସିନଙ୍କ ଶାସନକାଳଟି ସମାଜବାଦର ମୁଖାପିନ୍ଧା ସୋଭିଏଟ୍‌ ସାମାଜିକ ସାମ୍ରାଜ୍ୟବାଦର ପତନ ତଥା ଆମେରିକା ନେତୃତ୍ୱରେ ଏକ ଧୃବୀୟ ବିଶ୍ୱର ପ୍ରତିଷ୍ଠାର ସମୟ ଥିଲା। ସେହି ସମୟରେ ରୁଷିଆର ଶାସକମାନେ ପରିସ୍ଥିତିରେ ପଡ଼ି ଆମେରିକାର ଆଧିପତ୍ୟର ମୁକାବିଲା ନ କରି ନିଜକୁ କିଛି ପାଦ ପଛକୁ ହଟେଇବାକୁ ଏକରକମ ବାଧ୍ୟ ହୋଇଥିଲେ। କିନ୍ତୁ ବର୍ତ୍ତମାନର ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କ ଶାସନକାଳରେ ରୁଷିଆ ନିଜ ସୀମାକୁ ସୁରକ୍ଷିତ ରଖିବାକୁ ତଥା ବିଶ୍ୱରେ ନିଜର ପ୍ରଭାବକୁ ବଢ଼ାଇବାକୁ ସକ୍ଷମ ହୋଇସାରିଛି। ରୁଷିଆର ଉତ୍‌ଥାନ ବିଶ୍ୱରେ ଶକ୍ତି ସନ୍ତୁଳନରେ ପରିବର୍ତ୍ତନ ଆଣିବା ସହିତ ଏକ ଧୃବୀୟତାକୁ ସମାପ୍ତି କରି ବିଶ୍ୱକୁ ବହୁଧୃବୀୟ କରିସାରିଛି। ବିଶେଷକରି ୯/୧୧ର ଘଟଣା ପରେ ଇରାକ୍‌, ଆଫଗାନିସ୍ତାନରେ ଆମେରିକାର ଆକ୍ରମଣ ତଥା ଅପମାନଜନକ ପରାଜୟ ବିଶ୍ୱରେ ଆମେରିକାର ପ୍ରଭାବକୁ ହ୍ରାସ କରିଥିବାବେଳେ ରୁଷିଆର ଉତ୍‌ଥାନ ବିଶ୍ୱ ପରିସ୍ଥିତିକୁ ବଦଳାଇ ଦେଇଛି। ସିରିଆରେ ରୁଷିଆର ସାମରିକ ହସ୍ତକ୍ଷେପ, ରୁଷିଆ ଭୟରେ ଇରାନ୍‌କୁ ଆମେରିକା ଆକ୍ରମଣ କରି ନ ପାରିବା, ଜର୍ଜିଆ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆଦି ଘଟଣା ବିଶ୍ୱରେ ରୁଷିଆର କ୍ରମବର୍ଦ୍ଧମାନ ସାମରିକ ପ୍ରଭାବକୁ ପ୍ରମାଣିତ କରିଥିବାବେଳେ ଆମେରିକାର ପ୍ରଭାବ ଓ ସମ୍ମାନକୁ ଅନେକ ପରିମାଣରେ ହ୍ରାସ କରିଛି।
ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ବିବାଦ ପଛରେ ଅନେକ ଐତିହାସିକ କାରଣ ବି ରହିଛି। ୟୁରୋପର ସର୍ବାଧିକ ଉର୍ବର ଅଞ୍ଚଳ ରୂପେ ପରିଚିତ ଏହି ଦେଶ ଉପରେ ବହୁଦିନ ଧରି ପଶ୍ଚିମୀ ଦେଶଗୁଡ଼ିକର ଲୋଲୁପଦୃଷ୍ଟି ପଡ଼ିଆସିଛି। ଉଭୟ ୟୁକ୍ରେନୀୟ ଓ ରୁଷୀୟ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ଏହାର ପୂର୍ବଭାଗରେ ବିପୁଳ ଖଣିଜ ସମ୍ପଦ ରହିଥିବାବେଳେ ଦକ୍ଷିଣରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ କୃଷ୍ଣସାଗର ରହିଛି। ଶିଳ୍ପୋନ୍ନତ ପୂର୍ବ ଭାଗରେ ଥିବା କଳକାରଖାନାଗୁଡ଼ିକ ନିଜର ଉପତ୍ାଦିତ ଦ୍ରବ୍ୟ ବିକ୍ରି ପାଇଁ ମୂଳତଃ ରୁଷିଆର ବଜାର ଉପରେ ନିର୍ଭରଶୀଳ। ଏଭଳି ସ୍ଥିତିରେ ସେଠାକାର ବଜାର, କୃଷି ଓ ମୂଲ୍ୟବାନ ଖଣିଜ ସମ୍ପଦ ଉପରେ ଆଧିପତ୍ୟ ବିସ୍ତାର ପାଇଁ ଗୋଟିଏ ପଟେ ଆମେରିକା ଓ ପଶ୍ଚିମୀ ଦେଶଗୁଡ଼ିକ ଲକ୍ଷ୍ୟ ରଖିଥିବାବେଳେ ଅନ୍ୟପଟେ ରୁଷିଆ ମଧ୍ୟ ନିଜର ହରାଇଥିବା ପ୍ରଭାବକୁ ପୁଣିଥରେ ପ୍ରତିଷ୍ଠା କରିବାକୁ ଚାହୁଁଛି। ଏହି କାରଣରୁ ହିଁ ଆଜି ୟୁକ୍ରେନ ବିଶ୍ୱର ସାମ୍ରାଜ୍ୟବାଦୀ ଶକ୍ତିଗୁଡ଼ିକ ଆଖଡ଼ାରେ ପରିଣତ ହୋଇଛି।
କିନ୍ତୁ ୟୁକ୍ରେନ୍‌ର ଶାସକମାନେ ସାମ୍ରାଜ୍ୟବାଦୀ ଶକ୍ତିଗୁଡ଼ିକ ଏହି ଦ୍ୱନ୍ଦ୍ୱରୁ ନିଜକୁ ଦୂରେଇ ରଖିବା ପରିବର୍ତ୍ତେ ସେମାନଙ୍କ ଦ୍ୱନ୍ଦ୍ୱର ଶିକାର ହୋଇଯାଇଛନ୍ତି। ସୋଭିଏଟ୍‌ ରୁଷିଆରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ଦେଶ ହେବା ପରେ ସେଠାକାର ଧନାଢ଼୍ୟ ଗୋଷ୍ଠୀ ୟୁକ୍ରେନ୍‌ର ଶାସନକୁ ଅକ୍ତିଆର କରିଥିଲେ। ସେମାନେ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଡ଼କୁ ବି ଢଳିଥିଲେ। ସେମାନେ ଆମେରିକାର ଚାପରେ ନାଟୋରେ ସାମିଲ ହେବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ରୁଷିଆଠାରୁ ଜୋରଦାର ପ୍ରତିକ୍ରିୟା ଦେଖାଯିବା ସ୍ବାଭାବିକ ଥିଲା।
ୟୁକ୍ରେନ୍‌କୁ ନେଇ ଆମେରିକାର ଆଭିମୁଖ୍ୟଟି ଆରମ୍ଭରୁ ଦୋମୁଁହାଁ ରହିଆସିଛି। ଯେଉଁ ଦେଶ ମିଳିତ ଜାତିସଂଘ ସମେତ ସମସ୍ତ ଅନ୍ତର୍ଜାତୀୟ ନିୟମକାନୁନ୍‌ ଓ ଚୁକ୍ତିକୁ ଗତ ୭୦ ବର୍ଷ ଧରି ବାରମ୍ବାର ଉଲ୍ଲଂଘନ କରି ଅନ୍ୟ ଦେଶ ଉପରେ ଆକ୍ରମଣ, ଯୁଦ୍ଧ ଓ ଶାସନ ପରିବର୍ତ୍ତନ କରିଆସିଛି, ସେହି ଦେଶ ଆଜି ୟୁକ୍ରେନ୍‌ ପ୍ରସଙ୍ଗରେ ଅନ୍ତର୍ଜାତୀୟ ନିୟମ କାନୁନ୍‌ର କଥା କହିବା ହାସ୍ୟାସ୍ପଦ ମନେହୁଏ। ଆମେରିକା ୨୦୧୪ରେ ୟୁକ୍ରେନ୍‌ର ନିର୍ବାଚିତ ସରକାରକୁ ବେଆଇନ ଭାବେ ଗାଦିଚ୍ୟୁତ୍‌ କରି ନିଜର ସଖୀକଣ୍ଢେଇ ସରକାର ଆଣିବାରେ ସାହାଯ୍ୟ କରିଛି। ଆଜି ନାଟୋରେ ସାମିଲ ହେବାକୁ ୟୁକ୍ରେନ୍‌ବାସୀଙ୍କ ଇଚ୍ଛାକୁ ସମ୍ମାନ ଦେବା କଥା କହୁଥିବା ଆମେରିକା କିନ୍ତୁ ଲାଟିନ୍‌ ଆମେରିକାର ଦେଶଗୁଡ଼ିକର ସେହି ଇଚ୍ଛାକୁ ବିରୋଧ କରିଆସିଛି। ଅସଲ କଥା ହେଲା, ଇରାକ୍‌ ଓ ଆଫ୍‌ଗାନିସ୍ତାନରେ ଅପମାନଜନକ ପରାଜୟ ପରେ ମଧ୍ୟ ଆମେରିକାର ଶାସକମାନେ ସେଥିରୁ କୌଣସି ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି।
ବହୁସଂଖ୍ୟକ ରୁଷ୍‌ଭାଷୀ ରହୁଥିବା ୟୁକ୍ରେନ୍‌ର ଡେନବାସ୍‌ ପ୍ରଦେଶରେ ବିଦ୍ରୋହୀମାନଙ୍କ ଉପରେ ସେଠାକାର ସରକାର ଓ ସେନା ତରଫରୁ ହେଉଥିବା ଆକ୍ରମଣରୁ ସ୍ଥାନୀୟ ଜନତାଙ୍କୁ ସୁରକ୍ଷା ଦେବା ନାଁରେ ରୁଷିଆ ୟୁକ୍ରେନ୍‌ରେ ସ୍ବତନ୍ତ୍ର ସାମରିକ ଅପରେଶନ୍‌ ଆରମ୍ଭ କରିଛି। କିନ୍ତୁ ଏହି ତଥାକଥିତ ଅଭିଯାନର ପ୍ରକୃତ ଲକ୍ଷ୍ୟଟି ଯେ ସେହି ଦେଶକୁ ନିଜର ନିୟନ୍ତ୍ରଣରେ ରଖିବାକୁ ଉଦ୍ଦିଷ୍ଟ, ଏଥିରେ ଆଦୌ ସନ୍ଦେହ ନାହିଁ। ତେବେ ଗୋଟିଏ କଥା ସତ ଯେ ଉଭୟ ରୁଷିଆ ଓ ଆମରେିକା ୟୁକ୍ରେନ୍‌ ଯୁଦ୍ଧର ଆଳରେ ନିଜ ଦେଶର ଅର୍ଥନୈତିକ ସଙ୍କଟରୁ ଦେଶବାସୀଙ୍କୁ ଦୃଷ୍ଟି ହଟେଇବାକୁ ଚାହୁଁଛନ୍ତି।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯଦି ଅଧିକ ଦିନ ଅବ୍ୟାହତ ରହେ ଏବଂ ନାଟୋଭୁକ୍ତ ଦେଶଗୁଡ଼ିକ ସେଥିରେ ସାମରିକ ହସ୍ତକ୍ଷେପ କରନ୍ତି, ତାହେଲେ ଏହା ସାରା ବିଶ୍ୱକୁ ପ୍ରସାରିତ ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ୍‌ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ବିଶ୍ୱରେ ଦରଦାମ୍‌ ବଢ଼ିବା ସହିତ ସାଧାରଣ ଜନତା ସଙ୍କଟର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଯୁଦ୍ଧର ପ୍ରଥମ ଦିନରେ ହିଁ ତେଲ ଦର ବ୍ୟାରେଲ୍‌ ପିଛା ଶହେ ଡଲାରରେ ପହଞ୍ଚତ୍ଛି, ଯାହାକି ସେପ୍ଟେମ୍ବର ୨୦୧୪ ପରଠାରୁ ସର୍ବାଧିକ ରହିଛି।
ଭାରତ ସରକାର ଆମେରିକା ଓ ରୁଷିଆ ମଧ୍ୟରେ ୟୁକ୍ରେନ୍‌ ପ୍ରସଙ୍ଗରେ ବଢ଼ିଚାଲିଥିବା ଦ୍ୱନ୍ଦ୍ୱକୁ ନେଇ ଅତ୍ୟନ୍ତ ଅସୁବିଧାଜନକ ସ୍ଥିତିରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାରବେଳେ ୟୁକ୍ରେନ୍‌ ଘଟଣାର ଅବତାରଣା କରି ନିର୍ବାଚନରେ ଏକ ଶକ୍ତିଶାଳୀ ସରକାରକୁ ଆଣିବାକୁ ଆହ୍ବାନ ଦେଇଛନ୍ତି। ମାତ୍ର ସେହି ଶକ୍ତିଶାଳୀ ସରକାରଟି ୟୁକ୍ରେନ୍‌ ଘଟଣାରେ କ’ଣ କରିବ ସେନେଇ ଏକଦମ୍‌ ଚୁପ୍‌ ରହିଛନ୍ତି। ବିଶ୍ୱବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ଯୁଦ୍ଧ ବନ୍ଦ ହେବା ଏବଂ ରୁଷିଆ ଯଥାଶୀଘ୍ର ନିଜର ସାମରିକ ଅଭିଯାନକୁ ପ୍ରତ୍ୟାହାର କରିବା ଜରୁରୀ। ତେବେ ବିଶ୍ୱରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ନାଟୋ ପରି ସାମରିକ ମେଣ୍ଟର ବିଘଟନ ବି ଅତ୍ୟନ୍ତ ଜରୁରୀ।
ମୋ: ୯୪୩୭୧୬୬୩୯୧
bhalachandra.odisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri