ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା: ଜାଣନ୍ତୁ କ’ଣ ରହିଛି ମାମଲା

ଭୁବନେଶ୍ୱର,୧୯ା୧୦(ସତ୍ୟଜିତ୍‌ ରାଉତ):ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ପୋଷ୍ଟ କରି ଦୁଇ କଂଗ୍ରେସ ନେତାଙ୍କ ସମ୍ବନ୍ଧରେ ମନ୍ତବ୍ୟ ଦେବା ଅଭିନେତା ବୁଦ୍ଧାଦିତ୍ୟଙ୍କ ପାଇଁ ଅଡ଼ୁଆ ହୋଇଛି। ବୁଦ୍ଧାଦିତ୍ୟଙ୍କ ନାଁରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ବୁଦ୍ଧାଦିତ୍ୟ ଆତଙ୍କବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବୁଦ୍ଧାଦିତ୍ୟ ତାଙ୍କ ଫେସ୍‌ବୁକ୍‌ ଆଇଡିରେ କରିଥିବା ପୋଷ୍ଟରେ ଲରେନ୍ସ ବିଷ୍ଣୋଇଙ୍କୁ ଭାରତର ସରକାରୀ ଗୁପ୍ତଚର ସଂସ୍ଥା ବୋଲି ପରୋକ୍ଷରେ ଦର୍ଶାଇଛନ୍ତି। ବାବା ସିଦ୍ଦିକଙ୍କ ହତ୍ୟା ପରେ ରାହୁଲ ଗାନ୍ଧୀଙ୍କ ପାଳି ପଡ଼ିବ ବୋଲି ଉଲ୍ଲେଖ କରିଛନ୍ତି। ଦେଶର ବିରୋଧୀ ଦଳର ନେତାଙ୍କୁ ହତ୍ୟା କରିବାକୁ ଉସୁକାଉଥିବା ବ୍ୟକ୍ତି ନିଶ୍ଚିନ୍ତ ଜଣେ ଅପରାଧୀ। ତେଣୁ ବୁଦ୍ଧାଦିତ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଅପରପକ୍ଷରେ ବୁଦ୍ଧାଦିତ୍ୟ ତାଙ୍କ ପୋଷ୍ଟକୁ ଡିଲିଟ୍‌ କରିବା ସହ ଆଉ ଏକ ନୂଆ ପୋଷ୍ଟ କରି କ୍ଷମା ମାଗିଛନ୍ତି। ଏଥିସହ କାହାକୁ ଆକ୍ଷେପ କରିବା ଉଦ୍ଦେଶ୍ୟ ନ ଥିଲା ବୋଲି ସେ କହିଛନ୍ତି।

Share