ଠିକା କାମକୁ ନେଇ ବ୍ୟବସାୟ, ଆୱାର୍ଡ କାମ ନାମରେ ହାତାହାତି ବଣ୍ଟା ଚାଲିଛି କାର୍ଯ୍ୟ

ତେନ୍ତୁଳିଖୁଣ୍ଟି,୨୪ା୮(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ଡ୍ୟାମ ସର୍କଲରେ ଠିକା କାର୍ଯ୍ୟକୁ ହାତାହାତି ବଣ୍ଟନ କରି କିଛି କର୍ମଚାରୀ ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ସରକାରୀ କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯିବା ବ୍ୟବସ୍ଥା ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ୭୦ହଜାର, ୫୦ ହଜାର ଟଙ୍କାର କାମକୁ ଟେଣ୍ଡର ମାଧ୍ୟମରେ କରୁଥିବା ବେଳେ ଇନ୍ଦ୍ରାବତୀ ଡ୍ୟାମ ସର୍କଲରେ ସରକାରୀ ନିୟମର ଉଲ୍ଲଂଘନ କରାଯାଉଛି। ସବୁ ନୀତିନିୟମକୁ ଆଖି ବୁଜିଦେଇ ଆୱାର୍ଡ ନାମରେ ଭାଗଭାଗ କରି ବ୍ୟବସାୟ କରାଯାଉଥିବା ଅଭିଯୋଗ ହେଉଛି ।

ଏହା ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଆୱାର୍ଡ ନାମରେ ୪୯ଟି କାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସବୁ କାମ ଏପରି ଚତୁରତାର ସହ କରାଯାଇଛି ଏନେଇ କେହି ସୁରାକ ପାଇଲେନି। ବିଲ୍‌ ହେଲାବେଳେ ଲୋକେ ଜାଣିଲେ। ଇତିମଧ୍ୟରେ ୨କୋଟି ୫୦ଲକ୍ଷ ଟଙ୍କାର ବିଲ ହୋଇଥିବା ଜଣାପଡିଛି। ଏହି ପ୍ରକଳ୍ପରେ ଯେଉଁଠି ନିଜ ଅଧୀନରେ ଥିବା ବିଦ୍ୟାଳୟ ଓ ସ୍ବାସ୍ଥ୍ୟକେନ୍ଦ୍ର ଦୈନିକ ପରିଚାଳନା ପାଇଁ ଟଙ୍କାଟିଏ ଦେବାକୁ ଅଧିକାରୀ ଅକ୍ଷମତା ପ୍ରକାଶ କରୁଛନ୍ତି ସେଠାରେ ଆୱାର୍ଡ ନାମରେ ଗାର୍ଡୱାଲ ଓ ଡ୍ରେନ ନିର୍ମାଣ ହେଉଛି। ମାତ୍ର ଡ୍ୟାମକୁ ଯିବା ଲାଗି ରାସ୍ତା ହୋଇପାରୁନି। ବର୍ତ୍ତମାନ ପୁଣି ୫୦ରୁ ଅଧିକ କାର୍ଯ୍ୟ ହେବାକୁ ଏଷ୍ଟିମେଟ ହୋଇଛି। ପ୍ରତି କାର୍ଯ୍ୟକୁ ୪ ଲକ୍ଷ ୯୯ ହଜାର ୯ ଶହ ଟଙ୍କାରେ ସୀମିତ ରଖାଯାଇଛି । ସବୁ ଭାଗ ଭାଗ କରି ନିଜକୁ ସୁହାଇଲା ଭଳି ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ କରାଯାଉଛି । ପ୍ରତି କାର୍ଯ୍ୟ ପିଛା ଇନିସିଆଲ ପ୍ରୋସେସିଂ(ଅଫିସ ଖର୍ଚ୍ଚ) ନାମରେ ପ୍ରାୟ ୭୦ହଜାର ଟଙ୍କା ଆଗୁଆ ମଗାଯାଉଛି। ଏହା ଠିକାଦାରଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି। ଏଥିରେ ସତ୍ୟତା ଥିବାରୁ କାର୍ଯ୍ୟର ମାନ ହ୍ରାସ ହେବା ସହ କାର୍ଯ୍ୟରେ ସ୍ବଛତା ରହୁନାହିଁ ବୋଲି କେତେକ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।

ଦୀର୍ଘ ଦିନ ଧରି ପ୍ରକଳ୍ପ ପ୍ରଶାସନ ଇନ୍ଦ୍ରାବତୀ ପାରିପାର୍ଶ୍ୱିକ ବିକାଶ ଦିଗରେ ମଧ୍ୟ ଆଖି ବୁଜିଦେଇଛି। ଏହା ଏବେ ଜଳସମ୍ପଦ ବିଭାଗକୁ ହସ୍ତାନ୍ତର ପରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଉଭୟ ଜଳସେଚନ ଓ ଶକ୍ତି ବିଭାଗ ୫୦-୫୦ ଅନୁପାତରେ ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବାକୁ ଯୋଜନା କରିଥିବା ବେଳେ ପାରିପାଶ୍ବିକ ବିକାଶକୁ ପ୍ରକଳ୍ପ କର୍ତ୍ତୃପକ୍ଷ ନଜର ଆଢୁଆଳରେ ରଖିଛନ୍ତି। ଠିକାଦାରଙ୍କ ତୁଷ୍ଟିକରଣରେ ପ୍ରଶାସନର ଏଭଳି ଭିତିରିଆ କାରବାର ପଦାକୁ ଆସିବା ପରେ ଆରମ୍ଭରୁ ଅସନ୍ତୋଷ ଦେଖିବାକୁ ମିଳିଲାଣି । ଠିକା କାର୍ଯ୍ୟଗୁଡିକୁ ଟେଣ୍ଡର ନ କରି ଏଭଳି ବେନିୟମ ଭାବେ କାର୍ଯ୍ୟ ବଣ୍ଟନ ପଛରେ ପ୍ରଶାସନର ତତ୍ପରତା ପ୍ରତି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଞ୍ଜୀବ ଭତ୍ରାଙ୍କୁ ପଚାରିବାରୁ ସେ ସବୁ ଅଭିଯୋଗକୁ ଖଣ୍ଡନ କରି ଯଦି ଏପରି ହୋଇଥିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏ ଦିଗରେ ୫୩ଟି କାର୍ଯ୍ୟ ବଣ୍ଟନ କରାଯାଇଥିବା ନେଇ ସୂଚନା ମିଳିଥିବା ବେଳେ ଏହି ସଂଖ୍ୟାକୁ ପ୍ରଶାସନିକ ସ୍ତରରେ ଖଣ୍ଡନ କରାଯାଇଛି। ଏଭଳି କାର୍ଯ୍ୟ ବଣ୍ଟନ କାହା ନିର୍ଦ୍ଦେଶରେ ହେଉଛି ଏବଂ ଏନେଇ ଉପରିସ୍ଥ ଅଧିକାରୀ ଅବଗତ ଅଛନ୍ତି କି ନାହିଁ ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି । ସୂଚନାଯୋଗ୍ୟ, ଏହି ପ୍ରକଳ୍ପରେ ଆୱାର୍ଡ କାମ ନାମରେ କିଛି ଅଧିକାରୀ ଓ କର୍ମଚାରୀ ଉପକୃତ ହେଉଥିବା ଏବଂ ବାହାର ଅଞ୍ଚଳର ଠିକାଦାର ନ ଆସି ଏଗ୍ରିମେଣ୍ଟ ଅନ୍ୟ କେହି କରିବା, ଗୋଟିଏ କାମକୁ ୨ଥର କରାଯାଉଥିବା ଅଭିଯୋଗ ପରେ ତତ୍କାଳୀନ ପ୍ରକଳ୍ପ ମୁଖ୍ୟ ଓ ଓଡିଶା ଜଳବିଦ୍ୟୁତ ପ୍ରକଳ୍ପ ଆୱାର୍ଡ ବ୍ୟବସ୍ଥା ବନ୍ଦ କରିଦେଇଥିଲେ ।

Share