୨ ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ:ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ଓ୍ବାର୍ଡମେମ୍ବର

ଭବାନୀପାଟଣା,୪ା୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୭ ଜଣ ୱାର୍ଡମେମ୍ବର ଓ ସମିତିସଭ୍ୟ। ଏ ନେଇ ଗୁରୁବାର ସେମାନେ ଭବାନୀପାଟଣା ଆସି ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ତେବେ ଜିଲାପାଳ ଉପସ୍ଥିତ ନ ଥିବାରୁ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ଏହାକୁ ଗ୍ରହଣ କରିଥିଲେ। ଅଭିଯୋଗ ଅନୁଯାୟୀ, ପାଡ଼େପଦର ସରପଞ୍ଚ ଭାବେ ସମ୍ବାରି ମାଝୀ ନିର୍ବାଚିତ ହୋଇଛନ୍ତି। ହେଲେ ଅନେକ ସମୟରେ ପଞ୍ଚାୟତର ସମସ୍ତ କାର୍ଯ୍ୟକ୍ରମରେ ତାଙ୍କ ସ୍ବାମୀ ହସ୍ତକ୍ଷେପ କରୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାକୁ ୱାର୍ଡମେମ୍ବରମାନେ ବିରୋଧ କଲେ ନାଲିଆଖି ଦେଖାଇ ଧମକ ଦେଉଛନ୍ତି। ତେଣୁ ଅନାସ୍ଥା ଆଣିଥିବା କହିଛନ୍ତି ସ୍ଥାନୀୟ ନାଏବ ସରପଞ୍ଚ ମହେନ୍ଦ୍ର ନାଏକ। ସେହିପରି ସମାନ ଅଭିଯୋଗ ଦେଖିବାକୁ ମିଳିଛି ଭବାନୀପାଟଣା ସଦର ବ୍ଲକର ଅର୍ତ୍ତଳ ପଞ୍ଚାୟତରେ। ଏଠାରେ ନିର୍ବାଚିତ ସରପଞ୍ଚ ଦସମତି ବେମାଲଙ୍କ ନାମରେ ଅନାସ୍ଥା ଆଣିଛନ୍ତି ସ୍ଥାନୀୟ ୱାର୍ଡମେମ୍ବର। ଅପରାହ୍ନରେ ଏହାକୁ ନେଇ ସେମାନେ ଜିଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ଦେଇଛନ୍ତି। ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଓ ପଞ୍ଚାୟତ କାର୍ଯ୍ୟରେ ତାଙ୍କ ସ୍ବାମୀଙ୍କ ହସ୍ତକ୍ଷେପରେ ଅସନ୍ତୋଷ ହୋଇ ଅନାସ୍ଥା ଆଣିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

Share