ନୂଆବର୍ଷରେ ଦେଶକୁ ମିଳିଛି ୨ କରୋନା ଟିକା: ମୋଦି

ନୂଆଦିଲ୍ଲୀ,୪।୧: ଏବେ ଅନ୍ତର୍ଜାତୀୟସ୍ତରରେ ଆତ୍ମନିର୍ଭର ଭାରତ ପରିଚିତି ହାସଲ କରିପାରିଛି। ନୂଆବର୍ଷରେ ଦେଶକୁ ୨ କରୋନା ଟିକା ମିଳିଛି। କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ର ବ୍ୟବହାର ଏବେ ସାର୍ବଜନୀକ ଭାବେ କରାଯିବ। ଦେଶରେ ବଡ଼ ଧରଣର କରୋନା ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଶେଷ ହୋଇଛି। ନ୍ୟାଶନାଲ ମେଟ୍ରୋଲୋଜି କନକ୍ଲେଭ୍‌ରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏଭଳି କହିଛନ୍ତି। ଭାରତର ସେବା ଏବଂ ଉତ୍ପାଦ ଗୁଣବତ୍ତାଯୁକ୍ତ। ଏହା ବିଦେଶରେ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ନ୍ୟାଶନାଲ ଆଟମିକ୍‌ ଟାଇମ୍ସସ୍କେଲ୍‌ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟର ଲୋକାର୍ପଣ ମଧ୍ୟ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ନ୍ୟାଶନାଲ୍‌ ଏନଭାର୍ନମେଣ୍ଟାଲ ଷ୍ଟାଣ୍ଡାର୍ଡ ଲାବୋରେଟୋରିର ଶିଳାନ୍ୟାସ କରିଛନ୍ତି। ଆଟମିକ୍‌ ଟାଇମ୍ସସ୍କେଲ୍‌ ଦ୍ୱାରା ଏଣିକି ଭାରତୀୟ ମାନକ ସମୟକୁ ୨.୮ ନାନୋ ସେକେଣ୍ଡ ପର୍ଯ୍ୟନ୍ତ ଠିକ୍‌ ଭାବେ ମାପ କରାଯାଇ ପାରିବ। ଅର୍ଥାତ୍‌ ଭାରତ ଏବେ ଏକ ସେକେଣ୍ଡର ଶହେ କୋଟି ଭାଗେ ଠିକ୍‌ ରୂପେ ମାପିବାକୁ ସକ୍ଷମ ବୋଲି ସେ କହିଛନ୍ତି। ସେହିପରି ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନ୍ତର୍ଜାତୀୟ ମାନକ ଆଧାରରେ ଉତ୍ପାଦର ଗୁଣବତ୍ତାକୁ ସୁନିଶ୍ଚିତ କରାଇ ପାରିବ। ନ୍ୟାଶନାଲ୍‌ ଏନଭାର୍ନମେଣ୍ଟାଲ ଷ୍ଟାଣ୍ଡାର୍ଡ ଲାବୋରେଟୋରି ସହାୟତାରେ ବାୟୁ ଏବଂ ଉଦ୍ୟୋଗିକ ପ୍ରଦୂଷଣ ତଥା ନିର୍ଗମଣର ଯାଞ୍ଚ୍‌ କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share