ଟୋକିଓ,୨୭।୪ : ଆସନ୍ତା ୩୩ ବର୍ଷରେ ୨୦୫୬ ସୁଦ୍ଧା ଜାପାନର ଜନସଂଖ୍ୟା ୧୦ କୋଟିରୁ କମ୍ରେ ପହଞ୍ଚିବ। ଯଦି ଦେଶର ଶିଶୁ ଜନ୍ମ ହାର ବର୍ତ୍ତମାନର ସ୍ତରରେ ରୁହେ ଦେଶରେ ପ୍ରତିବର୍ଷ ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟା ପାଞ୍ଚ ଲକ୍ଷରୁ କମ ହେବ। ଟୋକିଓ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ପପୁଲେଶନ ଆଣ୍ଡ ସୋସିଆଲ ସିକ୍ୟୁରିଟି ରିସର୍ଚ୍ଚ ଦ୍ୱାରା ଏହି ଆକଳନ କରାଯାଇଛି।
ଏହି ସଂଗଠନ ଚେତାବନୀ ଦେଇଛି, ଯଦି ଜାପାନରେ ଜନ୍ମହାର ବୃଦ୍ଧି ନହୁଏ, ତେବେ ଏହା କୁହାଯାଇପାରେ, ଜନସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଜାପାନ ଏକ ଅର୍ଥନୈତିକ ଦୁର୍ବଳ ଦେଶରେ ପରିଣତ ହେବ। ତେଣୁ ଜନସଂଖ୍ୟା ବୃଦ୍ଧି କିମ୍ବା ଉତ୍ପାଦନ ବୃଦ୍ଧି ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାରକୁ ବଜାୟ ରଖିବା ପାଇଁ ଜାପାନକୁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ।
ଜାପାନରେ ଜନସଂଖ୍ୟା ଆକଳନ ପ୍ରତି ପାଞ୍ଚ ବର୍ଷରେ ସଂଶୋଧିତ ହୁଏ। ଜନଗଣନାରୁ ପ୍ରକାଶିତ ତଥ୍ୟ ଆଧାରରେ ଏହି ସଂଶୋଧନଗୁଡ଼ିକ କରାଯାଇଥାଏ। ଛଅ ବର୍ଷ ପରେ ସର୍ବଶେଷ ଆକଳନ ଘୋଷଣା କରାଯାଇଛି। କରୋନା ମହାମାରୀ ଯୋଗୁୁ ଜନଗଣନା ବିଳମ୍ବ ହୋଇଥିଲା। ତେଣୁ ଜନସଂଖ୍ୟା ଆକଳନ ଠିକ ସମୟରେ ପ୍ରକାଶ କରାଯାଇପାରି ନ ଥିଲା।
ଶେଷ ଆକଳନ ୨୦୧୭ ରେ ପ୍ରକାଶିତ ହୋଇଥିଲା। ସେଥିରେ କୁହାଯାଇଥିଲା ୨୦୫୩ ସୁଦ୍ଧା ଜାପାନର ଜନସଂଖ୍ୟା ଦଶ କୋଟିରୁ କମ ହୋଇଯିବ। ବର୍ତ୍ତମାନ ଏହାକୁ ଦୁଇ ବର୍ଷ ଆଗକୁ ନିଆଯାଇଛି, କାରଣ ଗତ ପାଞ୍ଚ ବର୍ଷ ମଧ୍ୟରେ ଅନ୍ୟ ଦେଶରୁ ବହୁ ସଂଖ୍ୟକ ଲୋକ ଆସି ଜାପାନରେ ବସବାସ କରିଛନ୍ତି।