ଶାଶ୍ୱତୀଙ୍କ ରଙ୍ଗତୂଳୀରେ କଥା କହୁଛି ବର୍ଜ୍ୟବସ୍ତୁ

ନବରଙ୍ଗପୁର, ୨୯।୫;(ବି.ପ୍ର.): ମନ ମୋହୁଛି ରଙ୍ଗତୂଳୀରେ ଆକୃତି ଦିଆଯାଇଥିବା ବିଭିନ୍ନ ପଟଚିତ୍ର। ଭିନ୍ନ ଏକ ମଣିଷର ଆଶାର ଆଲୋକ ସାଜିଛି ନିଜ ହାତ ତିଆରି ଚିତ୍ରକଳା। ରଙ୍ଗତୂଳୀକୁ ହାତରେ ଧରି ଏକ କଳାକାରଭାବେ ନିଜକୁ ଗଢ଼ି ତୋଳୁଛନ୍ତି ନବରଙ୍ଗପୁର ସହର ଗାନ୍ଧୀନଗର ଅଞ୍ଚଳର ଝିଅ ଶାଶ୍ୱତୀ ସାହୁ (୨୪)।
ମା’ ଓ ସାନଭଉଣୀଙ୍କୁ ନେଇ ଶାଶ୍ୱତୀଙ୍କ ପରିବାର। ବାପା ୨ ବର୍ଷ ତଳେ ଚାଲିଗଲେ ଆରପାରିକୁ। ଏଜୁକେସନରେ ପୋଷ୍ଟ ଗ୍ରାଜୁଏଶନ କରିଛନ୍ତି ଶାଶ୍ୱତୀ। ଏପଟେ ବାପାଙ୍କ ଦେହାନ୍ତ ପରେ ବଡ଼ ଝିଅ ଭାବେ ଘରର ବୋଝ ମୁଣ୍ଡ ଉପରେ। ଘର ଚଳିବା ପାଇଁ ଛୋଟ ଦୋକାନଟିଏ କରି ସେଥିରେ ଯାହା ବେପାର ହେଲା ସେତିକିରେ ୩ ପ୍ରାଣୀ କୁଟୁମ୍ବ ଚଳେ। ପାଠପଢ଼ା ଶେଷ ପରେ ଘରେ ଯେତେବେଳେ ନିଜକୁ ଏକା ଅନୁଭବ କଲେ ସେତେବେଳେ ଜଗନ୍ନାଥଙ୍କ ଶରଣାପନ୍ନ ହୋଇ ଆରମ୍ଭ କରିଥିଲେ ରଙ୍ଗତୂଳୀ ଧରିବା। ଜଗନ୍ନାଥଙ୍କ ପାଇଁ ରହିଛି ମନରେ ଅନେକ ଭଲପାଇବା। ତେଣୁ ପ୍ରଥମେ ଆଙ୍କିଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିଛବିଟିଏ। ପରେ ସେ ବିଭିନ୍ନ ବର୍ଜ୍ୟବସ୍ତୁକୁ ଯଥା ଖାଲି ବୋତଲ, ଚାବି ରିଙ୍ଗ୍‌, କୋଲଡ୍ରିଙ୍କସ୍‌ ଠିପି, ୱେଷ୍ଟ ପେପରକୁ ନେଇ ଓଡ଼ିଆ ପ୍ରଥାର ଛବି ସେଇ ସବୁ ଜିନିଷ ଉପରେ ଆଙ୍କିବାକୁ ଲାଗିଲେ। ଆଉ ଧୀରେ ଧୀରେ ଛବି ଆଙ୍କିବା ପାଲଟିଗଲା ଶାଶ୍ୱତୀଙ୍କ ନିଶା। ସେଥିରୁ ସେ ଆତ୍ମସନ୍ତୁଷ୍ଟି ସହ ଉପାର୍ଜନ ମଧ୍ୟ କଲେ। ମା’ ଆରତୀ ମଧ୍ୟ ସମୟ ପାଇଲେ ଚିତ୍ର ଆଙ୍କିଥାନ୍ତି। ତାଙ୍କର ସେହି କଳାକୁ ଛୋଟବେଳୁ ଦେଖି ଶିଖିଛି ବୋଲି ସେ କହିଛନ୍ତି। ସେହି କଳାକୃତିକୁ ଦେଖି ସାହି ପଡ଼ିଶା ପସନ୍ଦ କରି ନିଜ ଘରେ ସାଜସଜ୍ଜା ପାଇଁ ରଖିଥିବା ଶାଶ୍ୱତୀ କହିଛନ୍ତି। ସଂସାର ଚକ୍ର ମଧ୍ୟରେ ଏହି ଚିତ୍ରକଳାକୁ ସମୟ ଦେଇ ପାରୁ ନ ଥିବା ଶାଶ୍ୱତୀଙ୍କ ମାଆ ନିଜ ଝିଅ ପାଇଁ ଦୀର୍ଘ ୧୫ ବର୍ଷ ପରେ ପୁଣି ହାତରେ ରଙ୍ଗ ତୂଳୀ ଧରୁଛନ୍ତି। ଶାଶ୍ୱତୀଙ୍କ କଳାକୃତିକୁ ବିକ୍ରି ପାଇଁ ଷ୍ଟଲ୍‌ ବ୍ୟବସ୍ଥା କରାଯିବ ବୋଲି ଓର୍‌ମାସ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ମହେଶ କହିଛନ୍ତି।