କେନ୍ଦୁଝର,୧୬।୧୧: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବରେ ଘରେ ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ ଏଣ୍ଡୁରି ପିଠା ନିଆରା। ଏଣୁ ପ୍ରଥମାଷ୍ଟମୀ ଆସିଲେ ଓଡ଼ିଆ ଘରେ ହଳଦୀପତ୍ର ଖୋଜା ପଡ଼େ। ତେବେ ଆଜିକାଲି ହଳଦୀପତ୍ରର ଚାହିଦା ମୁତାବକ ମିଳୁ ନ ଥିବାରୁ ହାଟବଜାରରେ ବିକ୍ରି ହେଉଛି। ବେପାରୀମାନେ ବାହାର ଜିଲାକୁ ହଳଦୀପତ୍ର ନେଇ ବିକି ବେଶ୍ ଲାଭବାନ ହେଉଛନ୍ତି। ମାତ୍ର ଚାଷୀ ଏହାର ପ୍ରକୃତ ଦର ପାଇ ପାରେନାହିଁ।
ଅରୁଆ ଚାଉଳ ଓ ବିରି ମିଶାଇ ପିଠଉ କରି ସେଥିରେ ନଡ଼ିଆ କୋରା ବା ଛେନାପୁର ଦେଇ ଏହି ପିଠା ପ୍ରସ୍ତୁତ କରାଯାଏ। ଏହି ଦିନରେ ହଳଦୀପତ୍ର ପିଠା ସହିତ ଚକୁଳି, ମଣ୍ଡା ଆଦି ପିଠା ଓ ଖିରି ମଧ୍ୟ ଓଡ଼ିଆ ଘରେ ଘରେ ଖାଇଥାନ୍ତି। ହଳଦୀପତ୍ର ସୁମଧୁର ବାସ୍ନା ପିଠାର ସ୍ବାଦକୁ ଦ୍ୱିଗୁଣିତ କରିଥାଏ। ଦୀର୍ଘଦିନ ଧରି ହଳଦୀ ପିଠା ଘରେ ଘରେ ଲୋକମାନେ ଖାଇଥାନ୍ତି ବୋଲି ସାହିତି୍ୟକ ତଥା ସଂଗ୍ରାହକ ପ୍ରଦୀପ ରାଉତ କୁହନ୍ତି। ତେବେ ପ୍ରଥମାଷ୍ଟମୀ ଦିନ ପଢୁଆଁ ବା ଘରର ବଡ଼ ପୁଅ/ଝିଅ ନୂଆ ବସ୍ତ୍ର ପିନ୍ଧି ପୂଜାପାଠ କରି ପିଠା ଖାଇଥାନ୍ତି। ଗାଁ ଗଣ୍ଡା ଅପେକ୍ଷା ସହରାଞ୍ଚଳରେ ଏହାର ଚାହିଦା ଆଜିକାଲି ଅଧିକ ଦେଖାଦେଉଛି। ଏହି ସମୟରେ ହଳଦୀ ଅମଳ ହୋଇଥାଏ। ଏଣୁ ଚାଷୀ ତଥା ବନବାସୀମାନେ ହଳଦୀପତ୍ରକୁ କାଟି ଆଣି ହାଟବଜାରରେ ବିକ୍ରି କରନ୍ତି। ହଳଦୀପତ୍ର ବିଡ଼ା ୧୦ ଟଙ୍କାରୁ ୨୦ ଟଙ୍କାରେ ବିକ୍ରି କରିଥାନ୍ତି। କିଛି ବର୍ଷ ହେଲା ହଳଦୀପତ୍ର ବେପାରୀମାନଙ୍କ କବ୍ଜାକୁ ଚାଲିଯାଉଥିବାରୁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି। ବେପାରୀମାନେ ଚାଷୀ ବା ବନବାସୀଙ୍କଠାରୁ ହଳଦୀପତ୍ର ବହୁତ କମ୍ ଦାମରେ କିଣି ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରିଥାନ୍ତି। ପରେ ୩ ରୁ ୪ ଗୁଣାରେ ବାହାର ଜିଲାର ବେପାରୀମାନଙ୍କୁ ବିକ୍ରି କରି ବେଶ୍ ମୁନାଫା କମାଇଥାନ୍ତି ବୋଲି ସ୍ଥାନୀୟ ନିବାସୀ ଅନୀଲ ସୋନକାର କୁହନ୍ତି। କିନ୍ତୁ ଚାଷୀ କିମ୍ବା ବନବାସୀ ବହୁ କଷ୍ଟରେ ବଜାରକୁ ବୋହି ଆଣି ପ୍ରକୃତ ମୂଲ୍ୟ ପାଇ ପାରନ୍ତି ନାହିଁ। ଅନେକ ସମୟରେ ବିକ୍ରି ନ ହେଲେ ଫୋପାଡ଼ି ଘରକୁ ଫେରନ୍ତି। ପ୍ରକାଶ ଯେ, କମ ପାଣିରେ ଏହି ଚାଷ ଭଲ ହୋଇଥାଏ। ହାତୀ ବା ବନ୍ୟପ୍ରାଣୀ ଖାଆନ୍ତି ନାହିଁ। କମ୍ ପରିଶ୍ରମ ଓ ଯତ୍ନ ଆବଶ୍ୟକ ହୋଇଥାଏ। ଏହି ଲାଭଜନକ ଫସଲ ପାଇଁ ପ୍ରୋତ୍ସାହିତ ଆବଶ୍ୟକ ବୋଲି କୃଷିବିତ୍ ତଥା ସମବାୟବିତ୍ କାନନ ବିହାରୀ ପହି ମତବ୍ୟକ୍ତ କରନ୍ତି।
ନରେଶ ଚନ୍ଦ୍ର ପଟ୍ଟନାୟକ